ବିଲୟ ପ୍ରଭାବ:୯ଠଠ ଶାଖା ବନ୍ଦ କରିବ ବିଓବି
ନୂଆଦିଲ୍ଲୀ, (ଏଜେନ୍ସି): ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ ଅଫ୍ ବରୋଦା (ବିଓବି), ଦେନା ବ୍ୟାଙ୍କ୍ ଓ ବିଜୟା ବ୍ୟାଙ୍କ୍ର ବିଲୟକୁ ଦୃଷ୍ଟିରେ ରଖି ପରିଚାଳନା ଦକ୍ଷତାରେ ସୁଧାର ପାଇଁ ସମଗ୍ର ଦେଶରେ ୮୦୦ରୁ ୯୦୦ଶାଖାକୁ ଯୁକ୍ତି ସଙ୍ଗତ କରିବା ଉପରେ ବିଚାର କରାଯାଉଛି । ବିଓବିରେ ଦେନା ବ୍ୟାଙ୍କ୍ ଓ ବିଜୟା ବ୍ୟାଙ୍କ୍ର ବିଲୟ ପ୍ରଭାବ ଚଳିତ ବର୍ଷ ଏପ୍ରିଲ୍ ୧ଠାରୁ କାର୍ଯ୍ୟକାରୀ ହୋଇଥିଲା । ବ୍ୟାଙ୍କ୍ର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଏହି ତିନି ବ୍ୟାଙ୍କ୍ର ବିଲୟ ପରେ ଗୋଟିଏ ସ୍ଥାନରେ ଏମାନଙ୍କର ଶାଖା ରହିବାର କୌଣସି ଆବଶ୍ୟକ ନାହିଁ । ତେବେ ଏପରି ଅନେକ ମାମଲା ରହିଛି, ଯେଉଁଠାରେ ଏହି ୩ବ୍ୟାଙ୍କ୍ର ଶାଖାଗୁଡ଼ିକ ଗୋଟିଏ ସ୍ଥାନରେ ତଥା ଗୋଟିଏ ବିଲ୍ଡିଂରେ ହିଁ ରହିଛି । ଏପରି ସ୍ଥିତିରେ ଏହି ଶାଖାଗୁଡ଼ିକୁ ବନ୍ଦ ତଥା ଯୁକ୍ତିସଙ୍ଗତ କରିବାର ଆବଶ୍ୟକ ରହିଛି । ଗୋଟିଏ ସ୍ଥାନରେ ଏହି ବ୍ୟାଙ୍କଗୁଡ଼ିକର ଶାଖା ଦ୍ୱାରା କୁଶଳତା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ । ତେବେ ବ୍ୟାପକ ସମୀକ୍ଷା ପରେ ବିଓବି ୮୦୦ରୁ ୯୦୦ଶାଖାର ଚିହ୍ନଟ କରିଛି । ଯେଉଁଗୁଡ଼ିକୁ ଯୁକ୍ତିସଙ୍ଗତ କରିବାର ଆବଶ୍ୟକ ରହିଛି । ଏହା ଅଧିନରେ ବ୍ୟାଙ୍କ ଶାଖାଗୁଡ଼ିକୁ ଅନ୍ୟ ସ୍ଥାନ ସ୍ଥାନାନ୍ତରିତ କରିପାରେ କିମ୍ବା କିଛି ଶାଖାକୁ ବନ୍ଦ ମଧ୍ୟ କରିପାରେ । ପ୍ରକାଶ ଯେ ବିଓବିରେ ଦେନା ବ୍ୟାଙ୍କ୍ ଓ ବିଜୟା ବ୍ୟାଙ୍କ୍ର ବିଲୟ ପରେ ଏହା ଏସ୍ବିଆଇ ପରେ ଦ୍ୱିତୀୟ ସର୍ବବୃହତ୍ତ ରାଷ୍ଟ୍ରାୟତ ବ୍ୟାଙ୍କ୍ରେ ପରିଣତ ହୋଇଛି । ବ୍ୟାଙ୍କ୍ର ଶାଖା ସଂଖ୍ୟା ୯୫୦୦ରୁ ଅଧିକରେ ପହଞ୍ଚିଥିବା ବେଳେ ଏଟିଏମ୍ ୧୩,୪୦୦ରୁ ଅଧିକ ହୋଇଯାଇଛି । ସେହିଭଳି କର୍ମଚାରୀଙ୍କ ସଂଖ୍ୟା ୮୫ହଜାରରେ ପହଞ୍ଚିଥିବା ବେଳେ ଏହା ୧୨କୋଟି ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି