ବିଲ ଫାଟି ଆଁ କାଡ଼ା ନାଳ ଓ କେନାଲ ସଫାରେ ସୀମିତ ପାଣିପଞ୍ଚାୟତ କାର୍ଯ୍ୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ସମ୍ପ୍ରତି ଖରିଫ ଧାନ ଚାଷ ପାଇଁ ଚାଷୀ ଭାଇ ମାନେ ବେଉଷଣ କାର୍ଯ୍ୟ ସାରିଥିବା ବେଳେ ଅପେକ୍ଷା କରିଛନ୍ତି ଧାନ ଅମଳକୁ। ଏହାରି ମଧ୍ୟରେ ବିଲ ବାଡ଼ି ରୁଆ ସରିଥିଲେ ସୁଦ୍ଧା କେତେକ ସ୍ଥାନରେ ଚାଷ ଜମି ଫାଟି ଆଁ କରିବା ଯୋଗୁ ଚାଷୀ ମାନେ ଏବେ ଚିନ୍ତାରେ ପଡିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ବ୍ଲକ ସରସଦା, ମାଳଦା, ରହଣିଆ, ଷୋଳମପୁର ଓ ନପଙ୍ଗ ପଞ୍ଚାୟତ ଅଂଚଳରେ। କେବଳ ସରସଦା ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ପଞ୍ଚାୟତ ବନ୍ୟା ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଦୁଇଦୁଇ ଥର ନଈ ପାଣି ଆସି ଚାଷୀଙ୍କୁ ନାକେଦମ କରିସାରିଲାଣି। ବନ୍ୟା ପରବର୍ତ୍ତୀ ସମୟରେ ଚାଷୀ ମାନେ ଯଥେ କଷ୍ଟେ ବିଲ ରୁଆ କାର୍ଯ୍ୟ ସରିଥିଲେ ସୁଦ୍ଧା ବର୍ଷା ଅଭାବରୁ ଏବେ କୃଷି କ୍ଷେତ୍ର ଫାଟିବା ଆରମ୍ଭ କଲାଣି। କେନାଲ ପାର୍ଶ୍ୱ ଜମିକୁ ଛାଡିଦେଲେ ଶେଷ ମୁଣ୍ଡରେ ଥିବା ଚାଷ ଜମି ଏବେ ସଙ୍ଗୀନ ଅବସ୍ଥାକୁ ଯାଉଛି। ଉକ୍ତ ଅଞ୍ଚଳରେ ଧାମନଗର ଜଳସମ୍ପଦ ବିଭାଗ ପକ୍ଷରୁ କେନାଲ ବ୍ୟବସ୍ଥା ଥିବା ବେଳେ ସେଥିରେ ଏବେ କୃଷିକ୍ଷେତ୍ର ପାଇଁ ଆବଶ୍ୟକ ପରିମାଣର ପାଣି ମଧ୍ୟ ଆସୁଛି। ପରିତାପର ବିଷୟ ଆସୁଥିବା ପାଣି ମୁଖ୍ୟ କେନାଲ ଓ ମାଇନର କେନାଲ ଶେଷ ମୁଣ୍ଡରେ ପହଞ୍ଚି ପାରୁନଥିବାରୁ ଅନେକ ଚାଷ ଜମି ଏବେ ଶୁଖି ଗଲାଣି। ଏହାଛଡା କେନାଲ ସଂଯୁକ୍ତ କାଡ଼ା ନାଳ ଗୁଡିକ କେଉଁଠି ଭାଙ୍ଗି ଗଲାଣି ତ ପୁଣି କେଉଁଠି ପୋତି ହୋଇଯିବା କାରଣରୁ ପାଣିର ସୁଷମ ବଣ୍ଟନ ହୋଇପାରୁନାହିଁ। ତେଣୁ ଚାଷ ଜମି ଗୁଡିକ ଅବସ୍ଥା ନକହିବା ଭଲ। ଏବାବଦରେ ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କେନାଲ ଜଳର ସୁଷମ ପରିଚାଳନା ପାଣି ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ହାତରେ ନ୍ୟସ୍ତ ଥିବା କହିଥିଲେ। ଏପଟେ କିନ୍ତୁ ସ୍ଥିତି ଅଲଗା। ଦୀର୍ଘ ଦିନ ହେବ କୃଷକ ମାନଙ୍କ ଶସ୍ୟ ଅଭିବୃଦ୍ଧି ଓ ଜଳ ପରିଚାଳନା ପାଇଁ ପାଣି ପଞ୍ଚାୟତ ଗଠନ କରାଯାଇଥିଲେ ସୁଦ୍ଧା ସଭାପତି ଏବଂ ସମ୍ପାଦକ ମାନେ ଓଲଟା କାର୍ଯ୍ୟ କରୁଛନ୍ତି। କାଡ଼ା ନାଳ ଓ କେନାଲ କାମରେ ଠିକାଦାରଙ୍କୁ ଲଗାଇ କର୍ତ୍ତୃପକ୍ଷ ମୁନାଫା ପାଇ ମାଲେମାଲ ହେଉଥିବା ବେଳେ ନିଜ କାମ ପ୍ରତି ସଚେତନ ହେଉ ନାହାନ୍ତି। ତେଣୁ କେନାଲରେ ପାଣି ଥାଇ ସୁଦ୍ଧା ସଦ୍ୟ ବେଉଷଣ ହୋଇଥିବା ଚାଷ ଜମି ଏବେ ଫାଟି ଶସ୍ୟ କ୍ଷେତ ନଷ୍ଟ ହେବାକୁ ବସିଲାଣି। ତେଣୁ ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ