ବିଳମ୍ବରେ ଲକ୍‌ ଡାଉନ୍‌ ଜାରି କରିବାକୁ ନେଇ ବିଜେପିକୁ ଟାର୍ଗେଟ୍‌ କଲେ କମଲନାଥ

ମଧ୍ୟପ୍ରଦେଶ : ଦେଶରେ କରୋନା ସ୍ଥିତି ବେଶ୍‌ ସଙ୍ଗୀନ ହୋଇପଡିଛି । କରୋନା ସହ ମୁକାବିଲା କରିବା ପାଇଁ କେନ୍ଦ୍ରସରକାର ଦେଶରେ ୨୧ ଦିନିଆ ଲକ୍‌ ଡାଉନର ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶରେ ମଧ୍ୟ କରୋନା ସଂକ୍ରମିତ ବେଶ୍‌ ବଢିବାରେ ଲାଗିଛି । ରାଜ୍ୟରେ କରୋନା ସ୍ଥିତିକୁ ଦେଖି କମଲନାଥ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ କରୋନା ପ୍ରସାର କରୁଥିବାବେଳେ ବିଜେପି ରାଜ୍ୟରେ କଂଗ୍ରେସ ସରକାରକୁ ହଟାଇବା ପାଇଁ ଲକ୍‌ ଡାଉନ୍‌ ପ୍ରକ୍ରିୟା କରିବାରେ ବିଳମ୍ବ କରିଥିଲା । ଦେଶର ସଂକଟ ସମୟରେ ବିଜେପି କ୍ଷମତାର ରାଜନୀତି ଚଲାଇଥିଲା ବୋଲି କହିଛନ୍ତି କମଲନାଥ ।
ମଧ୍ୟପ୍ରଦେଶରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି । ପ୍ରତ୍ୟେକ ଦିନ କରୋନା ଜନିତ ନୂଆ ନୂଆ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ କରୋନା ସ୍ଥିତକୁ ଦେଖି କମଲନାଥ କହିଛନ୍ତି ଯେ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହି ଗମ୍ଭୀର ରୋଗ ସମ୍ପର୍କରେ ବହୁ ପୂର୍ବରୁ ଚିନ୍ତା ପ୍ରକଟ କରିଥିଲେ । କେନ୍ଦ୍ର ସରକାର କରୋନାର ଗମ୍ଭୀରତା ବୁଝିବା ପାଇଁ ବହୁ ସମୟ ନେଇଥିଲେ । ୪୦ ଦିନ ପରେ ଲକ୍‌ ଡାଉନ୍‌ର ନିଷ୍ପତ୍ତି ନେଇଥିଲେ । କମଲନାଥ କହିଛନ୍ତି ଯେ, ମାର୍ଚ୍ଚ ୧୬ ତାରିଖରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାହୁଲ୍‌ ଗାନ୍ଧି ଫେବୃଆରୀ ୧୨ ତାରିଖରେ କରୋନା ମହାମାରୀ ସମ୍ପର୍କରେ ଅବଗତ କରାଇଥିଲେ । ତଥାପି ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଜାରି କରିବାରେ ୪୦ ଦିନ ବିଳମ୍ବ କରିଥିଲେ ।
କମଲନାଥ କହିଛନ୍ତି ଯେ, କେନ୍ଦ୍ରସରକାର ସମ୍ପୂର୍ଣ୍ଣ ଦୃଷ୍ଟି ମଧ୍ୟପ୍ରଦେଶ ସରକାର ଭାଙ୍ଗିବା ଉପରେ କେନ୍ଦ୍ରିତ କରିଥିଲେ । ଦେଶର ଏପରି ଏକ ସଂକଟକୁ ଅଣଦେଖା କରିଥିଲେ । ସେହି ସମୟରେ କରୋନା ସମ୍ପର୍କରେ ଚିନ୍ତା କରିବାର ସମୟ ଥିଲା । କିନ୍ତୁ କେନ୍ଦ୍ର ସରକାର ରାଜ୍ୟସଭା ନିର୍ବାଚନ ଉପରେ ଫୋକସ୍‌ କରିଥିଲେ । ଦେଶରେ ମାର୍ଚ୍ଚ ୨୪ ତାରିଖରେ ଲକ୍‌ଡାଉନ୍‌ର ଘୋଷଣା କରାଗଲା । ତା’ର ଗୋଟିଏ ଦିନ ପୂର୍ବରୁ ମାର୍ଚ୍ଚ ୨୩ ତାରିଖରେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ବାନ୍‌ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କଲେ ।
ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୦୦ ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୨୭୩ରେ ପହଞ୍ଚିଛି । ସେହିପରି ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ଟପିଥିବାବେଳେ ମୃତ୍ୟୁସଂଖ୍ୟା ୩୬ରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ