ବିଶାଳ ଆଇନ ସଚେତନ କର୍ମଶାଳାକୁ ଛତ୍ରପୁର ଓକିଲ ସଂଘର ବର୍ଜନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଛତ୍ରପୁର ଠାରେ ଅନୁଷ୍ଠିତ ବିଶାଳ ଆଇନ ସଚେତନତା କର୍ମଶାଳାକୁ ଛତ୍ରପୁର ଓକିଲ ସଂଘ ସଂପୂର୍ଣ୍ଣ ଭାବେ ବର୍ଜନ କରିଛନ୍ତି । ସଂଘର ସଭାପତି କେ.ଶିବରାମ ରେଡ୍ଡିଙ୍କ ସମେତ ସଂପାଦକ ଏସ୍.ଶ୍ୟାମ କୁମାର ରାଓ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂସ୍ଥାନ ପକ୍ଷରୁ ଛତ୍ରପୁର ଓକିଲ ସଂଘକୁ ଉପେକ୍ଷା କରାଯାଇଛି । ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇ ସଂପାଦକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂସ୍ଥାନଙ୍କୁ ସୂଚନା ଦେଇ ଜିଲ୍ଲା ଆଇନ ସେବାସଂସ୍ଥାନ ତଥା ଛତ୍ରପୁର ତାଲୁକ ଆଇନ ସେବା ସଂସ୍ଥାନ ଦ୍ୱାରା ଆୟୋଜିତ ସମସ୍ତ କାର୍ଯ୍ୟକ୍ରମକୁ ଅସହଯୋଗ ପ୍ରଦାନ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ମତ ସାବ୍ୟସ୍ତ କରିଛନ୍ତି । ଉକ୍ତ ବିଷୟକୁ ଜିଲ୍ଲା ଜଜ୍ ଏବଂ ରେଜିଷ୍ଟାରଙ୍କୁ ମଧ୍ୟ ଅବଗତ କରାଯାଇଛି । ଛତ୍ରପୁର ଓକିଲ ସଂଘକୁ ଉପେକ୍ଷା ଏବଂ ଆତ୍ମମର୍ଯ୍ୟାଦା କ୍ଷୂର୍ଣ୍ଣତାକୁ କୌଣସି କ୍ଷେତ୍ରରେ ବରଦାସ୍ତ କରାଯିବ ନାହିଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ପ୍ରକାଶ ଥାଉକି ଯେ, ଛତ୍ରପୁର ଠାରେ ଅନୁଷ୍ଠିତ ବିଶାଳ ଆଇନ ସଚେତନା କର୍ମଶାଳା ନିମନ୍ତେ ସଂଘକୁ କୌଣସି ଭାବେ ଲିଖିତ ସୂଚନା ଦିଆଯାଇ ନାହିଁ । ଯେତେବେଳେ ଛତ୍ରପୁର ସର୍କିଟ ଗୃହ ଠାରେ ଓଡିଶା ଉଚ୍ଚ ନ୍ୟାୟଳୟର ବିଚାରପତିମାନେ ପହଞ୍ଚିଥିଲେ ସୂଚନା ପାଇ ସଂଘ ତରଫରୁ ବିଚାରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ପାଇଁ ଯାଇଥିବା ବେଳେ ସେଠାରେ ସଂଘର ସଦସ୍ୟମାନଙ୍କୁ ବାରଣ କରାଯାଇଥିଲା । କାର୍ଯ୍ୟକ୍ରମର କ୍ରମାଗତ ପର୍ଯ୍ୟାୟରେ ସାରଣୀରେ ମଧ୍ୟ ସଂଘକୁ ଉପେକ୍ଷା ଏବଂ ଅବମାନନା ପ୍ରଦର୍ଶନ କରାଗଲା । ଏହି ଓକିଲ ସଂଘର ଆତ୍ମମର୍ଯ୍ୟାଦାକୁ କ୍ଷୂର୍ଣ୍ଣ ହେବାର ଉପଲବ୍ଧିକରେ ଉପସ୍ଥିତ ସଂଘର ସମସ୍ତ ଆଇନଜୀବୀ ସଦସ୍ୟ ସଭା ସ୍ଥଳରୁ ପରିତ୍ୟାଗ କରିଥିଲେ ।


