ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ସୁଶାନ୍ତ ରଞ୍ଜନ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଭଦ୍ରକସ୍ଥିତ ବିଜୟା ବିଣାପାଣୀ ହେଲେନ୍ କିଲର ସ୍ୱତନ୍ତ୍ର ବାଳିକା ବିଦ୍ୟାଳୟ ପରିସରରେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ସୁଶାନ୍ତ ରଞ୍ଜନ ମହାନ୍ତିଙ୍କର ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଭରସା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ସଭାରେ ଭରସା ସଂଗଠନର ନିର୍ଦ୍ଦେଶିକା ଡଃ.କବିତାରାଣୀ ମହାନ୍ତି ସଭାପତିତ୍ୱ କରିଥିଲେ । ଏଥିରେ ସୌମ୍ୟ ରଂଜନ ମହାନ୍ତି, ସୁଦୀପ୍ତ ରଂଜନ ମହାନ୍ତି, ମନରଂଜନ ଦାସ, ସୁଧିର କୁମାର ପ୍ରଧାନ, ତନ୍ମୟ କୁମାର ପଣ୍ଡା, ମମତା ମହାପାତ୍ର, ବିଦ୍ୟାଳୟ ସୁପରିଟେଣ୍ଡେଣ୍ଟ ତିଳୋତ୍ତମା ମାଝୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ । ଏଥିସହ ଅନ୍ଧ, ମୁକ, ବଧିର ବାଳିକା ମାନଙ୍କୁ ସମାଜର ମୁଖ୍ୟସୋତ୍ରରେ ସାମିଲ କରିବା ଏହି ଅନୁଷ୍ଠାନର ଲକ୍ଷ୍ୟ ବୋଲି ବକ୍ତା ମାନେ କହିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ମହାନ୍ତିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ୱାରା ଭଜନ ପରିବେଷଣ ହୋଇଥିଲା । ଏଥିରେ ସଂଗୀତ ଶିକ୍ଷକ ସୁଶାନ୍ତ ସେନାପତିଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।