ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ମିଶ୍ରଙ୍କ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବୋଲଗଡ଼ର ଗାନ୍ଧୀ ଭାବରେ ପରିଚିତ ଶ୍ରୀଯୁକ୍ତ ନୀଳକଣ୍ଠ ମିଶ୍ରଙ୍କ ୧୭ତମ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶା ସ୍କାଉଟ୍ ଓ ଗାଇଡ୍ କମିଶନର ଶ୍ରୀ କାଳି ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ଯେ, ଦେଶମାତୃକାକୁ ସ୍ୱାଧୀନ କରିବା ପାଇଁ ସ୍ୱର୍ଗତ ମିଶ୍ରଙ୍କର ତ୍ୟାଗ ଓ ସଂଗ୍ରାମ ଅତୁଳନୀୟ । ସେଥିପାଇଁ ସେ ବାରମ୍ବାର କାରାବରଣ କରିଛନ୍ତି । ତଥାପି ଗାନ୍ଧୀବାଦୀ ଆଦର୍ଶରୁ ବିଚ୍ୟୁତ ନହୋଇ ଦେଶ ସ୍ୱାଧୀନତାପ୍ରାପ୍ତି ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମ ଜାରି ରଖିଥିଲେ । ନୀଳକଣ୍ଠ ମିଶ୍ର ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ, ବିଶିଷ୍ଟ ପରିବେଶବିତ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ ଯେ, ସ୍ୱାଧୀନତା ସଂଗ୍ରାମ ସହ ସମାଜସେବା କରିବା ସ୍ୱର୍ଗତ ମିଶ୍ରଙ୍କର ଜୀବନର ଦୁଇଟି ପ୍ରମୁଖ ଦିଗ ଥିଲା । ତେଣୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ତଥା ଦୁଃଖିରଙ୍କି ଓ ଅଭାବୀ ଜନତାଙ୍କ ସେବାରେ ସେ ନିଜକୁ ନିୟୋଜିତ କରିଥିଲେ । ଏତଦ୍‌ବ୍ୟତୀତ ସେ ନିଜ ଗ୍ରାମ କଣ୍ଟାବାଡ଼ରେ ନୀଳକଣ୍ଠ ମିଶ୍ର ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ । ନୀଳକଣ୍ଠ ମିଶ୍ର ସେବା ପ୍ରତିଷ୍ଠାନର ସମ୍ପାଦକ ବିଶିଷ୍ଟ ସମାଜସେବୀ ପ୍ରକୃତି ମିତ୍ର ଶ୍ରୀ ଶିବନାରାୟଣ ମିଶ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରି କହିଲେ ଯେ, ନୀଳକଣ୍ଠ ମିଶ୍ର ଜୀବନକାଳ ଭିତରେ ଯେଉଁ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ, ସେହି ଅଧୁରା ସ୍ୱପ୍ନକୁ ପରିପୂରଣ କରିବା ପାଇଁ ନୀଳକଣ୍ଠ ସେବା ପ୍ରତିଷ୍ଠାନ ତାର କାର୍ଯ୍ୟକ୍ରମ ଜାରି ରଖିଛି । ବୃକ୍ଷରୋପଣ, ଦରିଦ୍ର ନାରାୟଣ ସେବା, ଅନାଥ ପିଲାମାନଙ୍କୁ ଶିକ୍ଷାଦାନ ଆଦି କାର୍ଯ୍ୟକ୍ରମଗୁଡ଼ିକ ଅନୁଷ୍ଠାନ ପକ୍ଷରୁ ଚାଲୁ ରହିଛି । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଡଃ ସୁରେନ୍ଦ୍ର ମୋହନ ମିଶ୍ର, ବିଜୟ କୁମାର ତ୍ରିପାଠୀ, ପ୍ରମେଶ ମହାନ୍ତି ପ୍ରମୁଖ ଅତିଥି ରୂପେ ଯୋଗଦେଇ ନୀଳକଣ୍ଠ ମିଶ୍ରଙ୍କ ଜୀବନର ବିଭିନ୍ନ ଦିଗ ଓ ବର୍ତ୍ତମାନର ଯୁବପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତ୍ରୀ ତଥା ବୃକ୍ଷରୋପଣ ଓ କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବାରୁ ସୁଶ୍ରୀ ଲିପ୍ସା ମିଶ୍ରଙ୍କୁ ସବୁଜ ପରୀ ସମ୍ମାନ, ପ୍ରଦୀପ କୁମାର ରାଉତରାୟଙ୍କୁ ବିଶିଷ୍ଟ କ୍ରୀଡ଼ା ସଂଗଠକ ସମ୍ମାନ, ଶ୍ରୀ ବିଶ୍ୱବିସୃତ ତ୍ରିପାଠୀ ଚଳିତବର୍ଷ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାରୁ ସୁଦକ୍ଷ ଶିକ୍ଷାପ୍ରଦୀପ ସମ୍ମାନ, ଶ୍ରୀ ଅସିତ ତ୍ରିପାଠୀଙ୍କୁ ଶ୍ରେଷ୍ଠ ସରପଞ୍ଚ ସମ୍ମାନ, ଶ୍ରୀ ନିରଞ୍ଜନ ନାୟକଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଓ ସମାଜସେବୀ ସମ୍ମାନ ଓ ଶ୍ରୀମତୀ ପୁଷ୍ପାଞ୍ଜଳି ନାୟକଙ୍କୁ ଶ୍ରେଷ୍ଠ ଓଡ଼ିଶୀନୃତ୍ୟ ଗୁରୁ ଓ ସମାଜସେବୀକା ସମ୍ମାନ ତଥା ଓଁମ୍ ପ୍ରକାଶ ବିନ୍ଧାଣୀଙ୍କୁ ଚଳିତବର୍ଷର ଶ୍ରେଷ୍ଠ ଉଦୀୟମାନ ଯୁବ ପରିବେଶପ୍ରେମୀ ଓ ସମାଜସେବୀ ସମ୍ମାନ ପ୍ରଦାନ କରାଯାଇଥିଲା । ଏହିସବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀ ସୀମା ନାରାୟଣ ମିଶ୍ର, ସୁଚସ୍ମିତା ମିଶ୍ର, ଅଙ୍କନ ମିଶ୍ର ଓ ପରିଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ସିଦ୍ଧନାରାୟଣ ମିଶ୍ର । ଏତଦ୍‌ବ୍ୟତୀତ ଓଡ଼ିଶାର ୨୦ଜଣ ସ୍ୱାଧୀନତା ସଂଗ୍ରାମୀ ଉତ୍ତରାଧିକାରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ