ବିଶୋଧିତ ହେଲା ସ୍କୁଲ, ଶ୍ରେଣୀକକ୍ଷରେ ପ୍ରଥମ ଦିନରେ ପାଦ ଥାପିଲେ ମାଟ୍ରିକ ବିଦ୍ୟାର୍ଥୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ  ଶୁକ୍ରବାର ଠାରୁ ସ୍କୁଲ ଖୋଲୁଥିବା ବେଳେ ଏହାକୁ ନେଇ ବିଭିନ୍ନ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ଦେଖିବାକୁ ମିଳିଛି । ଚଳିତ ବର୍ଷ ମେ’ ମାସରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନେ  ସ୍କୁଲର ଶ୍ରେଣୀକକ୍ଷରେ ପାଦ ଥାପିଛନ୍ତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଚଳିତ ମାସ ୧୦ ତାରିଖରେ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରାଯିବ । ଏହାପୂର୍ବରୁ ଶ୍ରେଣୀକକ୍ଷରେ କୋଭିଡ଼ ନିୟମ ଅନୁଯାୟୀ ଅଳ୍ପ ସଂଖ୍ୟକ ପିଲାଙ୍କୁ ନେଇ କିପରି ପାଠ ପଢାଯିବ ଓ ୧୦୦ ଦିନରେ ଯେପରି ପାଠପଢା ସମୂର୍ଣ୍ଣ କରାଯିବ ତାହାକୁ ନେଇ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ  ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ପ୍ରାକ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ପୂର୍ବରୁ ସ୍କୁଲ ଖୋଲିବା ବିଜ୍ଞପ୍ତି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇବା ପରେ କନ୍ଧମାଳ ଜିଲ୍ଲାର  ପ୍ରତ୍ୟେକ ସ୍କୁଲ ଗୁଡ଼ିକ ପକ୍ଷରୁ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଗୃହକୁ କର୍ମଚାରୀଙ୍କ ଦ୍ୱାରା ଝାଡୁ ଦ୍ୱାରା ପରିଷ୍କାର ପରିଚ୍ଛନ କରାଯିବା ପରେ କୋଠରୀଗୁଡ଼ିକୁ ଧୁଆ ଯିବା ପରେ  ବିଭିନ୍ନ ରାସାନିୟକ ଦ୍ୱାରା ଶ୍ରେଣୀକକ୍ଷ ଗୁଡ଼ିକ ବିଶୋଧିତ କରାଯାଇଥିଲା । ଏହାସହ ପ୍ରତି ବିଭାଗରେ ୨୦ରୁ ୨୫ ପିଲା ବସିବା ପାଇଁ ଚକ ଖଡ଼ି ଦ୍ୱାରା ପିଲାଙ୍କ ରୋଲ ନମ୍ବର ପ୍ରତି ବେଂଚରେ ମାର୍କିଙ୍ଗ କରାଯାଇଥିଲା । ଏହାସହ ପ୍ରତି ବିଦ୍ୟାଳୟ ବାରଣ୍ଡାରେ ଗୋଲାଇ ଅଙ୍କିତ କରାଯାଇଛି । ଏହି ସବୁ ବୃତ୍ତରେ ପିଲାମାନେ ଛିଡ଼ା ରହି ସାମାଜିକ ଦୂରତା ବଜାୟ ରଖିବେ।  ପୂର୍ବରୁ ପିଲାମାନେ ପାଖାପାଖି ବସୁଥିବା ବେଳେ ଏଣିକି ସାମାଜିକ ଦୂରତା ରକ୍ଷା କରି ବେଂଚରେ ବସି ଶିକ୍ଷା ଆହରଣ କରିବା ସହ ପରସ୍ପର ମଧ୍ୟରେ ହାତ ନ ମିଳାଇବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ବିଦ୍ୟାଳୟରେ ସାନିଟାଇଜର, ହାତଧୁଆ ସାବୁନ, ପିଇବା ପାଣି ଆଦିର ବ୍ୟବସ୍ଥାକୁ ସଂପୃକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ। ଏହା ସହ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧି ସ୍କୁଲ ଆସିବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଥାଉକି, କରୋନା ମହାମାରୀ ଯୋଗୁ ଗତ ୧୦ ମାସ ଧରି ଶିକ୍ଷାର ମନ୍ଦିର ସ୍କୁଲ ଗୁଡ଼ିକରେ ତାଲା ଝୁଲୁଥିବା ବେଳେ ଖୁବ ଅଳ୍ପ ସମୟ ୧୦୦ ଦିନ ମଧ୍ୟରେ ପାଠପଢା ଶେଷ କରିବା ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ପାଇଁ ଏକ ଗୁରୁ ଦାୟିତ୍ୱ ପାଲଟିଛି ବୋଲି କନ୍ଧମାଳ ଜିଲ୍ଲାର  କିଛି ବୁଦ୍ଧିଜୀବୀ ମତ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ