ବିଶ୍ବ ମତ୍ସ୍ୟ ଦିବସ ୨୦୨୪ ପାଳିତ
କୋରାପୁଟ,(ହେମନ୍ତ ପାଣିଗ୍ରାହୀ): ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆଜି ବିଶ୍ବ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମତ୍ସ୍ୟ ଅଧିକାରୀ ରବିନ୍ଦ୍ର କୁମାର ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜୟନଗର ସ୍ଥିତ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ବିଶ୍ଵଜିତ ରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ସାହୁ ଏବଂ ସହ ସମ୍ମାନୀତ ଅତିଥି ଭାବେ ସହକାରୀ ମତ୍ସ୍ୟ ଅଧିକାରୀ ସିମାଞ୍ଚଳ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୬୦ ଜଣ ମତ୍ସ୍ୟ ଚାଷୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ରାୟ ନିଜ ଅଭିଭାଷଣରେ ମାଛ ଚାଷ ର ଉପକାରିତା ବିଷୟରେ ଆଲୋକପାତ କରିବା ସହିତ ଅନ୍ୟାନ୍ୟ ପ୍ରାଣୀ ଚାଷ ସଂପର୍କରେ ମଧ୍ୟ ଅବଗତ କରାଇ ବୈଜ୍ଞାନିକ ଜ୍ଞାନ କୌଶଳ ତଥା ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ,ସଷ୍ଟେନେବଲ ଆକ୍ୱାକଲଚର ଉପରେ ଗୁରୁତ୍ଵ ଦେଇଥିଲେ। ସେ ଉପସ୍ଥିତ ଚାଷୀ ମାନଙ୍କୁ ମାଛ ଚାଷ ସହ ସମନ୍ବୟ ରେ ଅନ୍ୟାନ୍ୟ ଚାଷ ଯେପରିକି ମହୁମାଛି ପାଳନ, ଗୋପାଳନ, କୁକୁଡା ଓ ଛେଳି ଚାଷ ଇତ୍ୟାଦି କରିବା ପାଇଁ ଜଣାଇଛନ୍ତି । ସଭାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ମାରାଣ୍ଡି କହିଛନ୍ତି ମାଛଚାଷ ପ୍ରତି ଏବେ ଚାଷୀଙ୍କ ଆଗ୍ରହ ବଢିଛି। ପୂର୍ବ ଅପେକ୍ଷା ଜିଲ୍ଲାର ବିଭିନ୍ନ ବ୍ଲକରେ ମାଛଚାଷ ଆରମ୍ଭ ହୋଇଛି। ଅନେକ ଚାଷୀ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ କର୍ମସଂସ୍ଥାନ ଯୋଗାଉଛନ୍ତି। ମାଛ ଚାଷର ଉନ୍ନତି ଲାଗି ସରକାର ଅନେକ ଯୋଜନା କରିଛନ୍ତି । ମତ୍ସ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଏହାର ସୁଯୋଗ ନେବାକୁ ମାଛଚାଷୀଙ୍କୁ ସେ ପରାମର୍ଶ ଦେଇଛନ୍ତି।(ଆପେକଲ) ଜିଲ୍ଲା ସଂଯୋଜକ ଶ୍ରୀ ସାହୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ର ଲାଭ ନେବାକୁ କହିବା ସହିତ ନିଜ ଚାଷକୁ ପ୍ରୋତ୍ସାହନ କରିବା ପାଇଁ ଚାଷୀଙ୍କୁ ଉପଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ପାଢ଼ୀ ସୂଚାରୁରୂପେ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ କୁନ୍ଦୁରା ବ୍ଲକ ଆସାନା ଜିପି ପ୍ରଗତିଶୀଳ ମତ୍ସ୍ୟ ଚାଷୀ ଧନିରାମ ବାରିକଙ୍କୁ ମାନ ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ମୁରାନ୍ ପ୍ରାଥମିକ ମତ୍ସ୍ୟଜିବୀ ସମବାୟ ସମିତି, କପସିଗୁଡା ଗ୍ରାମ, ଦୁଆରସୁନି ଜିପି, ଦଶମନ୍ତପୁର ବ୍ଲକ୍ ପ୍ରଗତିଶୀଳ ସୋସାଇଟିକୁ ମାନ ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।