ବିଶ୍ଵଶାନ୍ତି ରାମତାରକ ମହାଯଜ୍ଞ ନିମନ୍ତେ କଳସ ଯାତ୍ରା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଳକ କୁଶପଡା ପଞ୍ଚାୟତ ଅନ୍ତର୍ଗତ କେଦାରପୁର ଗ୍ରାମରେ ସୋମବାର ଠାରୁ ୫ ଦିନ ବ୍ୟାପୀ ଶ୍ରୀ ନୀଳକଣ୍ଠେଶ୍ବର ଶୈବପୀଠ ପ୍ରାଙ୍ଗଣରେ ବିଶ୍ଵଶାନ୍ତି ରାମତାରକ ମହାଯଜ୍ଞ ଶୁଭାରମ୍ଭ ହୋଇଛି। ପଣ୍ତିତ ସମ୍ଭବ କୁମାର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ମହାଯଜ୍ଞ ନିମନ୍ତେ ୬ ଶହରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ କଳସ ଯାତ୍ରାରେ ସାମିଲ ଥିଲେ । ଯଜ୍ଞପୀଠ ଠାରୁ ପ୍ରାୟ ୯ କିମି ଦୂରରେ ଥିବା ମୌଳାଭଞ୍ଜା ଗ୍ରାମ ସ୍ଥିତ ଘୋଡାହାଡ ନଦୀରୁ ଗଙ୍ଗାମାତାଙ୍କୁ ମହାଯଜ୍ଞ କର୍ତ୍ତା ଦିଗପହଣ୍ଡି ର ପ୍ରମୋଦ କୁମାର ପାଣିଗ୍ରାହୀ ସସ୍ତ୍ରିକ ଆବାହନ ପରେ କଳସ ଯାତ୍ରା ଶୁଭାରମ୍ଭ ହୋଇଥିଲା। ବିରାଟ ଶୋଭାଯାତ୍ରାରେ ବାଦ୍ୟ ବାଜଣା ଓ ହୁଳହୁଳି ଧ୍ବନି ଦେଇ ଶ୍ରଦ୍ଧାଳୁ ମାନେ ମୁଣ୍ଡରେ କଳସ ଧରି ମହାଯଜ୍ଞ ସ୍ଥଳକୁ ଆସିଥିଲେ । ମହାଯଜ୍ଞକୁ ନେଇ ଶୈବପୀଠ ବେଢ଼ାରେ ଏକ ପ୍ରକାରର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ସମଗ୍ର ଗ୍ରାମ ଉତ୍ସବ ମୁଖର ହୋଇଉଠିଛି । ବିଜ୍ଞ କର୍ମକାଣ୍ଡବିତ ବୈଦିକ ବ୍ରାହ୍ମଣମାନଙ୍କ ଦ୍ବାରା ଯଜ୍ଞ ପୀଠର ପ୍ରଥମ ଦିନରେ ଦୀକ୍ଷାଗ୍ରହଣ , କାୟାଶୁଦ୍ଧି , ସାଲା ସଂସ୍କାର , ଅଙ୍କୁରାରୋପଣ , ନାମଯଜ୍ଞ ଆରମ୍ଭ ହୋଇଥିଲା । ଆସନ୍ତା ୭ ତାରିଖ ଦିନ ଏହି ମହାଯଜ୍ଞ ପୂର୍ଣ୍ଣାହୁତି ହେବ ବୋଲି ମହାଯଜ୍ଞ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତ୍ୟହ ଦିନ ସନ୍ଧ୍ୟାରେ ମହାଯଜ୍ଞ ସ୍ଥଳରେ ଆଳତୀ , ପ୍ରବଚନ ଏବଂ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।ସୋମବାର ମହାଯଜ୍ଞ ପୀଠ ରେ ସନ୍ଧ୍ୟା ଆଳତି ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳିଥିଲା। କେଦାରପୁର, କୁଶପଡ଼ା, ପତାଣ୍ଡ, ସାମନ୍ତରାପୁର ସମେତ ଆଖପାଖ ର ଗ୍ରାମବାସୀ ଓ ମହାଯଜ୍ଞ କମିଟି ବୃନ୍ଦ ସମସ୍ତ କାର୍ଯ୍ୟ ପରିଚାଳନା ରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଜଣାପଡିଛି ।