ବିଶ୍ୱକପ୍ ହକି ପାଇଁ ୫୦୦୦ ଉଠାଦୋକାନୀ ପରିବାର ଜୀବିକା ହରାଇ ଏବେ ରାଜରାସ୍ତାରେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାନୁୟାରୀ ମାସ ଦ୍ୱିତୀୟ ସପ୍ତାହରେ ହେବାକୁ ଥିବା ବିଶ୍ୱକପ୍ ହକି ଖେଳ ପାଇଁ ରାଜଧାନୀ ଭୁବନେଶ୍ୱରକୁ ସୌନ୍ଦର୍ଯ୍ୟକରଣ କରିବା ନାମରେ ପାଖାପାଖି ୫୦୦୦ ଉଠାଦୋକାନୀ ପରିବାର ଉପାସରେ ରହିବେ । ଏଠାରେ ସୂଚନାଥାଉକି ଏହି ଉଠାଦୋକାନୀମାନେ ଜୀବିକା ପାଇଁ ରାସ୍ତାକଡ଼ରେ ବସି ଛୋଟମୋଟ ବେପାର କରି ସେମାନଙ୍କର ଗୁଜୁରାଣ ମେଣ୍ଟାଇବା ସହ ନିଜର ପିଲାମାନଙ୍କୁ ବିଭିନ୍ନ ସ୍କୁଲ୍ରେ ପାଠ ପଢାଇଥାନ୍ତି । ସେମାନଙ୍କ ବାପାଙ୍କର ଦୋକାନ ଭାଙ୍ଗିଯିବା ଫଳରେ ବର୍ତ୍ତମାନ ପିଲାମାନେ ଅସହାୟ ହୋଇପଡ଼ିବା ସହିତ ସ୍କୁଲ୍ ଗୁଡ଼ିକରେ ସ୍କୁଲ୍ ଫିସ୍ ଦେବା ପାଇଁ ସେମାନଙ୍କ ବାପ ମାଆଙ୍କ ପାଖରେ ଅର୍ଥର ଅଭାବ ଦେଖା ଦେଇଛି । ଦୋକାନ ଉଚ୍ଛେଦ ପରେ ଏବେ ପରିବାର ଏକ ପ୍ରକାର ଆର୍ଥିକ ଅନଟନ ଦେଇ ଗତି କରୁଛି । ଏତଦ୍ବ୍ୟତୀତ ବାପା ମାଆଙ୍କ ପାଖରେ ରୋଜଗାର ନଥିବାରୁ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଭବିଷ୍ୟତରେ ଜୀବିକା ହରାଇଥିବା ବ୍ୟକ୍ତିମାନେ ଚୋରି, ଟାଉଟର, ଛିନତାଇ କରିବାକୁ ପଛାଇବେ ନାହିଁ । ସେଥିପାଇଁ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଘଟେ, ରାଜ୍ୟ ସରକାର, ବିଡ଼ିଏ, ବିଏମ୍ସି, ପୋଲିସ୍, ଜିଏ ଅଧିକାରୀମାନେ ଦାୟୀ ରହିବେ । ସୋମବାର ଦିନ କାନନ ବିହାର ଅଞ୍ଚଳରେ ଉଚ୍ଛେଦ ଚାଲିଥିବା ସମୟରେ ବହୁ ମହିଳା, ପୁରୁଷ ହାତରେ ବ୍ୟାନର ଧରି ଖେଳ ନୁହେଁ ଭାତ ଚାହୁଁ, ସ୍ମାର୍ଟ ସିଟି ନୁହେଁ ରୁଟି ଚାହୁଁ, ଖେଳ ନାମରେ ଗରିବ ମାରଣ ନୀତି ଚଳିବ ନାହିଁ, ଖେଳ ନାମରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମ୍ବିଧାନ ଆଇନକୁ ଅଣଦେଖା କରିବା ଚଳିବ ନାହିଁ ଆଦି ସ୍ଲୋଗାନ ଦେଇ ରାସ୍ତାରେ ବିକ୍ଷୋଭ କରିଥିଲେ । ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଅଭିଯୋଗ କରି କହିଛନ୍ତି ଯେ, ନବୀନ ବାବୁ ନିଜ ନାମକୁ ବିଦେଶରେ ପ୍ରଚାର କରିବା ପାଇଁ ୫୦୦୦ ପରିବାରକୁ ଗୋଡ଼ରେ ଦଳି ଦେଇ ଯେଉଁ ସୁନା ମୁକୁଟ ପିନ୍ଧିବା ପାଇଁ ଚେଷ୍ଟା କରୁଛନ୍ତି ତାହା ଗରିବଙ୍କ ଲୁହରେ ଭାସିଯିବେ । ନବୀନ ବାବୁଙ୍କ ଅହଙ୍କାର, ତାଙ୍କ କର୍ମଚାରୀଙ୍କ ଦୁର୍ନୀତିଖୋର ମନୋଭାବ, ବିଏମ୍ସି କମିଶନରଙ୍କ ଚାଟୁକାରିତା ଦିନେ ନା ଦିନେ ନବୀନ ବାବୁ ଭୋଗିବାକୁ ପଡ଼ିବ ବୋଲି ଶ୍ରୀଯୁକ୍ତ ସାହୁ କହିଛନ୍ତି ।