୪ ଦଫା ଦାବିରେ ଉତ୍ତର ଭୁବନେଶ୍ୱର ଉଠାଦୋକାନୀ ସଂଘର ବିଏମ୍ସି ଅଫିସ୍ ସମ୍ମୁଖରେ ବିେକ୍ଷୋଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶ୍ୱ ହକି କପ ଖେଳକୁ ଆଖି ଆଗରେ ରଖି ବିଏମ୍ସି ତରଫରୁ ଯେଉଁଭଳି ଭାବରେ ଉଠାଦୋକାନୀମାନଙ୍କୁ ଦୀର୍ଘ ୧୦ ଦିନ ଧରି ବେରୋଜଗାର କରିଦେଇଛି, ତାର ପ୍ରତିବାଦରେ ଏଆଇସିସିଟିୟୁ ସହ ନିବନ୍ଧିତ ଉତ୍ତର ଭୁବନେଶ୍ୱର ଉଠାଦୋକାନୀ ସଂଘ ପକ୍ଷରୁ କଳ୍ପନା ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଏମ୍ସି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ୨୦୦ରୁ ଅଧିକ ଉଠାଦୋକାନୀ ଭାଗ ନେଇ ହକି ଖେଳ ନାମରେ ଆମ ପେଟକୁ ନାତ ମାରନି, ତୁରନ୍ତ ଭେଣ୍ଡିଂଜୋନ ନିର୍ମାଣ କର, ଜୀବନ ଜୀବିକା ଓ ଆମର ସାମାଜିକ ସୁରକ୍ଷା ସୁରିକ୍ଷିତ କର, ସୁପ୍ରିମକୋର୍ଟ ଆଦେଶକୁ ପାଳନ କର ଆଦି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ ।ଏଆଇସିସିଟିୟୁର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା କିହଥିଲେ ଯେ, ସମ୍ବିଧାନର ଧାରା ୨୧କୁ ବିଏମ୍ସି ଖୋଲାଖୋଲି ଉଲଙ୍ଘନ କରି ଶହ ଶହ ଲୋକଙ୍କୁ ବୋରଜଗାର କରିବା ଏକ ମାନବିକ ଅଧିକାରର ଉଲଙ୍ଘନ ଓ ରାଜ୍ୟ ସରକାର ଉଠାଦୋକାନୀ ଷ୍ଟ୍ରିଟ ଭେଣ୍ଡର ଆଇନକୁ ନ ମାନିବା ଏକ ଲଜ୍ଜାଜନକ ବିଷୟ । ଏହି ଅବସରରେ ଏକ ୪ଜଣିଆ ପ୍ରତିନିଧି ମଣ୍ଡଳୀ ବିଏମ୍ସି କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ପରେ ବିଏମ୍ସି ଉଠାଦୋକାନୀଙ୍କ ଉପରେ ବୁଲ୍ଡ଼ୋଜର ମାଡ଼ କରିବ ନାହିଁ ଏବଂ ଛୋଟ ଛୋଟ ଜାଗାରେ ବ୍ୟବସାୟ କରିବା, ସହରକୁ ପରିସ୍କାର ପରିଚ୍ଛନ୍ନ ରଖିବା ସହିତ ଉତ୍ତର ଭୁବନେଶ୍ୱରରେ ଭେଣ୍ଡିଂଜୋନ ନିର୍ମାଣ କରିବା ଲାଗି କମିଶନର ପ୍ରତିଶ୍ରୁତି ଦେଲା ପରେ ବିକ୍ଷୋଭକୁ ବନ୍ଦ କରାଯାଇଥିଲା । ଏହି ବିକ୍ଷୋଭରେ ହେମନ୍ତ କୁମାର ସାସମଲ, ମାନସ ରଞ୍ଜନ ପ୍ରଧାନ, କାଳୁ ବେହେରା, ମହେଶ୍ୱର ବେହେରା, ପ୍ରକାଶ ଦାସ, ସୂର୍ଯ୍ୟକାନ୍ତ ମିଶ୍ର, ସଞ୍ଜୟ ଜେନା ଓ ଗଙ୍ଗାଧର ସାହୁ ପ୍ରମୁଖ ସାମିଲ ହୋଇଥିଲେ ।


