ବିଶ୍ୱମଣି ଗୋପବନ୍ଧୁ ଥିଲେ ଓଡ଼ିଆ ଭାଷା ସାହିତ୍ୟ, ସାମ୍ବାଦିକତା ଓ ସମାଜସେବାର ସର୍ବକାଳିନ ଆଦର୍ଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳମଣି ତଥା ବିଶ୍ୱମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ତାଙ୍କ ପ୍ରତିମୁର୍ତ୍ତୀ ସ୍ଥଳରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ଓ ଆମେ ଭୁବନେଶ୍ୱର ସଂଗଠନର ମିଳିତ ଆନୁକୂଲ୍ୟରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶ୍ୱମଣିଙ୍କ ବଡ଼ ନାତୁଣୀ ବୋହୁ ସମ୍ମାନନୀୟା ଲୀଳାବତୀ ଦେବୀ, ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, ଶିକ୍ଷାବିତ ସୀତାବଲ୍ଲଭ ମହାପାତ୍ର, ଆମେ ଭୁବନେଶ୍ୱର ସଂଯୋଜକ ନରେନ ସାହ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଅଭିଯାନ ସଂଯୋଜକ ନାରାୟଣ ଓଝା ପ୍ରମୁଖ ଉପସ୍ଥିତ ରହିବା ସହ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ ଯେ ବିଶ୍ୱମଣି ସମାଜସେବା, ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତାର ସର୍ବକାଳିନ ଆଦର୍ଶ ବୋଲି କହିବା ସହ ପୂଜ୍ୟପୂଜା ହେଉଛି ଉତ୍କଳର ପାତାଳଭେଦୀ ସଂସ୍କୃତି । ବିଶ୍ୱମଣିଙ୍କ ଦର୍ଶନ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ଲାଭ କରିଛି । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ, ଶ୍ରମିକ ନେତା ଅଜୟ ରାଉତଙ୍କୁ ବିଶ୍ୱମଣି ପଣ୍ଡିତ ଗୋପବନ୍ଧୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଉକ୍ତ ସ୍ମୃତିଚାରଣ ସଭାରେ ବରେଣ୍ୟ ସୁଦର୍ଶନ ସାହୁ, ରମେଶ ଚନ୍ଦ୍ର ପାତାଳ ସିଂ, ସରୋଜିନୀ ମିଶ୍ର, ତନ୍ମୟ ସାମନ୍ତରାୟ, କବି ରମାକାନ୍ତ ମିଶ୍ର, କିଷାନ ବରାଇ, ଭୁବନାନନ୍ଦ ସାମନ୍ତ ଓ ନାରାୟଣ ଖୁଣ୍ଟିଆ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସମାଜସେବା ପାଇଁ ରଞ୍ଜନ ପ୍ରଧାନ ଓ ଅମରଜିତ ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଓଡିଶା ନାଗରିକ ମହାମଞ୍ଚର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।