ବିଶ୍ୱର ବୃହତ୍ତମ ଝିଟିପିଟି ‘କୋମୋଡୋ ଡ୍ରାଗନ୍’
ପ୍ରାୟ ସମସ୍ତେ ଡ୍ରାଗନ୍ ନାଁ ଶୁଣିଥିବେ । ଡ୍ରାଗନ୍କୁ ନେଇ ଅନେକ ହଲିଉଡ୍ ଏବଂ ବଲିଉଡ୍ ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଆଜିକୁ ଲକ୍ଷ ଲକ୍ଷ ବର୍ଷ ତଳେ ଅତିକାୟ ଡ୍ରାଗନ୍ମାନେ ପୃଥିବୀ ପୃଷ୍ଠରେ ବସବାସ କରୁଥିଲେ । ବିଭିନ୍ନ କାରଣରୁ ସେମାନଙ୍କର ବିଲୟ ହୋଇଛି । ସମ୍ପ୍ରତି ଇଣ୍ଡୋନେସିଆର ପୂର୍ବ ନୁସା ତେଂଗାରା ଓ ପଶ୍ଚିମ ନୁସା ତେଂଗାରା ପ୍ରଦେଶ ମଧ୍ୟସ୍ଥ ସୁନ୍ଦା ଦ୍ୱୀପସମୂହ ଭିତରେ ଅବସ୍ଥିତ “କୋମୋଡୋ ଜାତୀୟ ଉଦ୍ୟାନ’ରେ କୋମୋଡୋ ଡ୍ରାଗନ୍ ଦେଖିବାକୁ ମିଳିଥାଆନ୍ତି । ଏହି ଜାତୀୟ ଉଦ୍ୟାନ ତିନିଟି ବୃହତ୍ ଦ୍ୱୀପକୁ ପରିବ୍ୟାପ୍ତ । ସେଗୁଡ଼ିକ ହେଲା- କୋମୋଡୋ, ପାଦାର ଓ ରିଂକା । ଦ୍ୱୀପ ତିନିଟିର ମିଳିତ କ୍ଷେତ୍ରଫଳ ୧୭୩୩ ବର୍ଗ କିଲୋମିଟର୍(ଜଳଭାଗ ସମେତ); କେବଳ ସ୍ଥଳଭାଗର କ୍ଷେତ୍ରଫଳ ୬୦୩ ବର୍ଗ କିଲୋମିଟର୍ । ବିଶ୍ୱର ବୃହତ୍ତମ ଝିଟିପିଟି ଜାତୀୟ ପ୍ରାଣୀ କୋମୋଡୋ ଡ୍ରାଗନ୍ର ସୁରକ୍ଷା ପାଇଁ ୧୯୮୦ରେ ଏହି ଜାତୀୟ ଉଦ୍ୟାନ ସୃଷ୍ଟି କରାଯାଇଥିଲା । ୧୯୯୧ରେ ଏହି ଜାତୀୟ ଉଦ୍ୟାନ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଥିଲା । ଏହି ଜାତୀୟ ଉଦ୍ୟାନରେ କୋମୋଡୋ ଡ୍ରାଗନ୍ଙ୍କ ସଂଖ୍ୟା ପ୍ରାୟ ୫୭୦୦ । କୋମୋଡୋ ଡ୍ରାଗନ୍ ବିଶ୍ୱରେ ଅନ୍ୟ କେଉଁଠି ଦେଖିବାକୁ ମିଳନ୍ତିନାହିଁ । ଏହା ଏକ ଉଗ୍ର ପ୍ରାଣୀ ଏବଂ ଦେଖିବାକୁ ଭୟଙ୍କର । ଲମ୍ବରେ ତିନି ମିଟର୍ ପର୍ଯ୍ୟନ୍ତ ବଢ଼ୁଥିବା ଏହି ପ୍ରାଣୀ ମାଂସାଶୀ । ଏହା ମଧ୍ୟ ସ୍ୱ-ଜାତି ଖାଦକ । ଏହା ଆଠ-ନଅ ବର୍ଷ ବୟସରେ ପୂର୍ଣ୍ଣ ବୟସ୍କ ହୁଏ । ଏହାର ଜୀବନ କାଳ ତିରିଶ ବର୍ଷ । ଉଲ୍ଲେଖଯୋଗ୍ୟ ଯେ, ଏହି ଜାତୀୟ ଉଦ୍ୟାନ ମଧ୍ୟ ପ୍ରାୟ ଚାରି ହଜାର ମଣିଷଙ୍କ ବାସସ୍ଥାନ । ବାର୍ଷିକ ଷାଠିଏ ହଜାରରୁ ଅଧିକ ପର୍ଯ୍ୟଟକ ଏହି ଉଦ୍ୟାନ ଭ୍ରମଣରେ ଆସୁଥିବା ପ୍ରକାଶ ।


