ବିଶ୍ୱ ଐତିହ୍ୟ ଦିବସ ପାଳିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ଭାରତ ସରକାରଙ୍କ ସଂସ୍କୃତି ବିଭାଗ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବିଶ୍ୱ ଐତିହ୍ୟ ଦିବସ ପାଳିତ ହୋଇଯାଇଛି । ପତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଭୁବନେଶ୍ଵର ସର୍କଲର ସୁପରିଟେଣ୍ଡେଣ୍ଟ ଡଃ ଅରୁଣ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଐତିହ୍ୟ ଦିବସ ପାଳନ ସମାରୋହ କାର୍ୟ୍ୟକ୍ରମରେ ଅତିଥି ଭାବରେ ଓଡିଶା ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡଃ ବ୍ୟୋମକେଶ ତ୍ରିପାଠୀ, ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଡଃ ଶାନ୍ତନୁ କୁମାର ରଥ, ବରିଷ୍ଠ ପତ୍ନତତ୍ତ୍ବ ଅଧିକାରୀ ଡଃ ଦିଲ୍ଲୀପ କୁମାର ଖମାରୀ, ଡଃ ସୁଶାନ୍ତ କୁମାର କର ଓ ପୁରୀଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା ପ୍ରମୁଖ ଯୋଗଦେଇ ଐତିହ୍ୟ ସୁରକ୍ଷା ଦିଗରେ ବିଭାଗୀୟ ଉତ୍ତର ଦାୟୀତ୍ବ ସହ ଜନ ସହଭାଗିତା ନ ରହିଲେ ଐତିହ୍ୟ ସୁରକ୍ଷା ସମ୍ଭବପର ନୁହେଁ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ସାମ୍ପ୍ରତିକ ସମାଜରେ ଐତିହ୍ୟ ସ୍ଥଳୀ ମାନଙ୍କ ଉପରେ ଛାତ୍ରଛାତ୍ରୀ ମାନେ ବିଶଦ ଭାବରେ ଜାଣିବା ସହ ଅଧ୍ୟୟନ ଓ ବିଦ୍ୟାଳୟ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଜରୁରୀ ବୋଲି ଆଲୋକପାତ କରିଥିଲେ। ଏହି କାର୍ୟ୍ୟକ୍ରମରେ ଜବାହାର ନବୋଦୟ ବିଦ୍ୟାଳୟ ସମେତ ଅନ୍ୟ କେତେକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ। ବିଗତବର୍ଷ ପରି ଚଳିତବର୍ଷ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଐତିହ୍ୟ ସମ୍ପର୍କରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଓ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ନ ହେବାକୁ ନେଇ ଛାତ୍ର ଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ସୂର୍ଯ୍ୟ ମନ୍ଦିର ପରିସରରେ ଐତିହ୍ୟ ସ୍ଥଳୀ ମାନଙ୍କୁ ନେଇ କରାଯାଇଥିବା ଐତିହ୍ୟ ଗ୍ୟାଲେରୀକୁ ମୁଖ୍ୟ ଅତିଥି ଡଃ ବ୍ୟୋମକେଶ ତ୍ରିପାଠୀ ଓ ଅନ୍ୟ ଅତିଥି ମାନେ ଲୋକାର୍ପିତ କରିଥିଲେ। ଐତିହ୍ୟ ଦିବସ ଅବସରରେ ସୂର୍ୟ୍ୟ ମନ୍ଦିରକୁ ପ୍ରବେଶ ଶୁକ୍ଲ ଛାଡ ଥିବାରୁ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ମାନେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ଏହାର କଳାକୃତି ଓ ଐତିହ୍ୟ ବୁଲି ଦେଖିଥିଲେ ।