ବିଶ୍ୱ କଳାମୋତିଆ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ “ବିଶ୍ୱ କଳା ମୋତିଆ ସପ୍ତାହ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଏଏନଏମ ତାଲିମ ନେଉଥିବା ଛାତ୍ରୀମାନଙ୍କୁ ନେଇ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ସଚେତନତା ଶୋଭାଯାତ୍ରାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୁନୁରାଣୀ ପଟ୍ଟନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦୀପକ ଚୌଧୁରୀ, ଡାକ୍ତର ଜନ୍ମଜୟ ସାହୁ, ଏଡିପିଏଚସିଓ ଡାକ୍ତର ସୁଧୀର କୁମାର ଜେନା, ଜଗଦୀଶ ପଟ୍ଟନାୟକ ଓ ନୀଳମଣି ଗୌଡ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲା ପ୍ରଶିକ୍ଷଣ ୟୁନିଟ କକ୍ଷଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପଟ୍ଟନାୟକ ଏବଂ ଡାକ୍ତର ଛନ୍ଦା କାନୁନଗୋ ପ୍ରମୁଖ ଯୋଗଦେଇ “ବିଶ୍ୱ କଳାମୋତିଆ ସପ୍ତାହ” କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ କହି ଏଥିରୁ କିଭଳି ସତର୍କ ରହି ଦୂରେଇ ରହିବାକୁ ହେବ ଏବଂ ଲୁକ୍କାୟିତ ଭାବେ ରହିଥିବା କଳା ମୋତିଆକୁ କିଭଳି ପରାସ୍ତ କରିବାକୁ ହେବ ସେସବୁର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମରେ ବହୁ ସଙ୍ଖ୍ୟାରେ ଏଏନଏମ ଛାତ୍ରୀ ଓ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନେ ଯୋଗ ଦେଇଥିଲେ ।