ବିଶ୍ୱ କ୍ଷୁଧା ତାଲିକାରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ
ଆଶୁତୋଷ ନାୟକ
ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଜନତା ପ୍ରକୃତ କ୍ଷମତାର ଅଧିକାରୀ ହୋଇଥାନ୍ଥି | ଜନତାଙ୍କ ଆଶୀର୍ବାଦ ବିନା କୌଣସି ରାଜନୈତିକ ବ୍ୟକ୍ତି କିମ୍ବା ଦଳ କ୍ଷମତା ହାସଲ କରିବା ଅସମ୍ଭବ | ମନୁଷ୍ୟର ୩ଟି ମୌଳିକ ଚାହିଦା ଖାଦ୍ୟ, ବସ୍ତ୍ର, ବାସଗୃହ ବିନା ସମାଜରେ ବଞ୍ଚିବା ଅସମ୍ଭବ | ଆମ ଦେଶର ଗରିବ ଏବଂ ମଧ୍ୟବିତ୍ତ ଏହି ୩ଟି ମୌଳିକ ଚାହିଦା ପୂରଣ କରିବା ପାଇଁ ଏବେବି ସଂଘର୍ଷ କରୁଛନ୍ଥି | ଏହା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ |ଆମ ଦେଶର ସୁବିଧାବାଦୀ, ସ୍ୱାର୍ଥପର ରାଜନେତା କ୍ଷମତା ଓ ପଦପଦବୀ ହାସଲ କରିବା ପାଇଁ ବ୍ୟଗ୍ର |ସେମାନେ ସମସ୍ତ ନୀତି, ନିୟମ, ନୈତିକତା, ଆଦର୍ଶତାକୁ ଜଳାଞ୍ଜଳି ଦେଇ ଯେକୌଣସି ଉପାୟରେ କ୍ଷମତା ହାସଲ କରିବା ପାଇଁ ସଦାସର୍ବଦା ଚେଷ୍ଟିତ | ଯେଉଁ ସ୍ବପ୍ନ, ଆଶା, ଭରସା ବିଶ୍ୱାସକୁ ନେଇ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀ ମାନେ ଆମ ଦେଶକୁ ସ୍ୱାଧୀନ କରିବା ପାଇଁ ନିଜ ଜୀବନକୁ ଉସ୍ୱର୍ଗ କରିଥିଲେ ତାହା ଏବେବି ଅସପୂର୍ଣ ଅଛି | ସ୍ୱାଧୀନତାର ୭୭ବର୍ଷ ପରେ ମଧ୍ୟ୍ୟ ଏବେବି ଅନେକ ଅସହାୟ ବ୍ୟକ୍ତି ଆମ ଦେଶରେ ପ୍ରତିଦିନ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି |ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମ ରୁ ମୃତ୍ୟୁ ପଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରିଛନ୍ତି | ବିଭିନ୍ନ ବଡ ଅନୁଷ୍ଠାନ, ସଂସ୍ଥା ଦ୍ୱାରା ଆମ ସରକାର ପ୍ରଶଂସା, ପୁରସ୍କାର ଗୋଟାଉଛନ୍ତି କିନ୍ତୁ ଏବେବି ଅନେକ ଗରିବ ଅସହାୟ ବ୍ୟକ୍ତିଙ୍କ ପାଖରେ ଏହି ଯୋଜନାର ଲାଭ କିମ୍ବା ସୁବିଧା ଅପହଞ୍ଚ | ବିଭିନ୍ନ ଜାତୀୟ ଆଗ ଧାଡିର ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏବେବି ଆମ ଦେଶରେ ଅନେକ ଅସହାୟ ବ୍ୟକ୍ତି କ୍ଷୁଦାର ଜ୍ଵଳା ସହ୍ୟ କରି ନପାରି ଅର୍ଥ ଅଭାବରୁ ଅତି ନିମ୍ନମାନର ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି | ଏହା ଆମ ଦେଶ ପାଇଁ ଅତ୍ୟନ୍ତ ଲଜ୍ୟାଜନକ ଘଟଣା |୨୦୧୭ ଜାତୀୟ ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ ପାଖାପାଖି ୧୯କୋଟି ଜନତା ଆମ ଦେଶରେ ପ୍ରତିଦିନ ଖାଇବାକୁ ନପାଇ ଭୋକରେ ଶୋଇବାକୁ ବାଧ୍ୟ ହେଉଛନ୍ତି | ୪୫୦୦ ଶିଶୁ ଯେଉଁ ମାନଙ୍କ ବୟସ ୫ବର୍ଷରୁ କମ ପ୍ରତିଦିନ ଖାଦ୍ୟ ଅଭାବରୁ ସେମାନଙ୍କ ଜୀବନ ପ୍ରଦୀପ ଲିଭିଯାଉଛି | ଏବେ କିଛିଦିନ ପୂର୍ବରୁ ଆସିଥିବା ବିଶ୍ୱ କ୍ଷ୍ୟୁଧା ସୂଚୀରେ ଭାରତ ୧୧୧ତମ ସ୍ଥାନରେ ରହିଛି | କିନ୍ତୁ ଏହି ରିପୋର୍ଟ କୁ ଆମ କେନ୍ଦ୍ର ସରକାର ସମ୍ପୂର୍ଣ ଭାବେ ଅସ୍ବୀକାର କରୁଛନ୍ତି | ଏହି ରିପୋର୍ଟ ମାଧ୍ୟମରେ ଭାରତକୁ ମିଥ୍ୟା ବଦନାମ କରାଯାଇଛି ଏବଂ ଏହା ଭାରତ ବିରୋଧରେ ଏକ ଷଡଯନ୍ତ୍ର ବୋଲି କେନ୍ଦ୍ର ସରକାର ଦୃଢକ୍ତି ପ୍ରକାଶ କରିଛନ୍ତି | କିନ୍ତୁ ଏହି ରିପୋର୍ଟକୁ ସମ୍ପୂର୍ଣ ଭାବେ ତ୍ରୁଟିଯୁକ୍ତ କହିବା ଉଚିତ ହେବ ନାହିଁ | ଏଥିରେ ନିଶ୍ଚିତ ଭାବରେ କିଛି ସତ୍ୟତା ରହିଛି | ଏହାକୁ ସ୍ୱୀକାର କରିବାକୁ ପଡିବ | ନିଜର ରାଜନୈତିକ ସ୍ୱାର୍ଥରୁ ଉର୍ଦ୍ଧକୁ ଯାଇ ଏହି ରିପୋର୍ଟକୁ ଗମ୍ଭୀରତାର ଶହ ବିଚାର କରିବାକୁ ପଡିବ | ୨୦୨୨ରେ ଏହି କ୍ଷ୍ୟୁଧା ସୂଚୀରେ ଭାରତ ୧୦୭ତମ ସ୍ଥାନରେ ଥିଲା କିନ୍ତୁ ଚଳିତବର୍ଷ ସେଥିରେ ଅବନତି ଘଟିଛି | ଭାରତକୁ ଏଥର ୨୮.୭ସ୍କୋର ମିଳିଛି | ଏହାର ଅର୍ଥ ଆମ ଦେଶରେ ଗମ୍ଭୀର କ୍ଷ୍ୟୁଧା ସମସ୍ୟା ରହିଛି | ଭାରତର ପଡୋଶୀ ରାଷ୍ଟ୍ର ଯଥା ପାକିସ୍ତାନ (୧୦୨),ବାଂଲାଦେଶ (୮୧),ନେପାଳ (୬୯),ଶ୍ରୀଲଙ୍କା (୫୦)ଅପେକ୍ଷାକୃତ ଭଲ ସ୍ଥିତି ରେ ଅଛନ୍ତି | ରିପୋର୍ଟ ଅନୁସାରେ ଭାରତରେ ଅପପୃଷ୍ଟି ସମସ୍ୟା ଚିନ୍ତାଜନକ ସ୍ଥିତିରେ ରହିଥିବା କୁହାଯାଇଛି | ଭାରତର ଶିଶୁ ଓ ଟେଷ୍ଟିଙ୍ଗ ହାର ୧୮.୭ପ୍ରତିଶତ ରହିଛି | ତେଣୁ ସମୟ ଆସିଛି ଦଳଗତ ନିର୍ବିଶେଷରେ ସବୁ ରାଜନୈତିକ ଦଳ କାଦୁଅଫିଙ୍ଗା ରାଜନୀତିରୁ ଉର୍ଦ୍ଧକୁ ଯାଇ ମିଳିତ ଭାବରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରଣନୀତି ପ୍ରସ୍ତୁତ କରିବାକୁ ପଡିବ | ଏହି ଗମ୍ଭୀର କ୍ଷ୍ୟୁଧା ସମସ୍ୟା ସମସ୍ତଙ୍କ ମିଳିତ ସହଯୋଗରେ ନିଶ୍ଚିତ ଭାବରେ ଦୂର କରାଯାଇ ପାରିବ ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ |
ଆଶୁତୋଷନାୟକ
ଗୋପାଳପୁର,ବାଲେଶ୍ୱର