ବିଶ୍ୱ ଦୃଷ୍ଟି ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟରୁ ଚକ୍ଷୁ ପ୍ରକୃତିର ଏକ ଅନନ୍ୟ ଉପହାର । ଆଖି କହିଥାଏ ପ୍ରକୃତି ଓ ଆଲୋକର କଥା । ଆଖି ନାହିଁ ତ ଦୁନିଆ ଅନ୍ଧାର । ସାଧାରଣତଃ ମଣିଷର ଖରାପ ଜୀବନଶୈଳୀ ଯୋଗୁଁ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥାଏ । ତନ୍ମଧ୍ୟରୁ ଆଖି ବି ବାଦ ପଡ଼େନାହିଁ । ଯେପରି ଲ୍ୟାପ୍ଟପ୍ରେ କାମ କରିବା, ଟିଭି ଦେଖିବା ଅଥବା ମୋବାଇଲ ଇତ୍ୟାଦିକୁ ଦୀର୍ଘ ସମୟ ଧରି ଦେଖିବା ଦ୍ୱାରା ଆଖିରେ ନାନାଦି ପ୍ରକାରର ସମସ୍ୟା ସୃଷ୍ଟି ହେବା ସହ ଆଖି ନଷ୍ଟ ହୋଇଯାଇଥାଏ । ସଂପ୍ରତି ଦିନକୁ ଦିନ ଚକ୍ଷୁଜନିତ ସମସ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି । ସେଥିମଧ୍ୟରୁ ଅନେକ ଲୋକ ଚକ୍ଷୁ ପ୍ରତି ଅବହେଳା କରି ସାରା ଜୀବନ ପାଇଁ ଚକ୍ଷୁ ହରାଉଛନ୍ତି । ତତ୍ ସହିତ ଦୃଷ୍ଟିଶକ୍ତିକୁ ତାଜା ରଖିବା ପାଇଁ ନିୟମିତ ସବୁଜ ପନିପରିବା ଏବଂ ଭିଟାମିନ୍- ‘ଏ’ ଯୁକ୍ତ ଖାଦ୍ୟ ନିତ୍ୟାନ୍ତ ଆବଶ୍ୟକ । ଏହିଭଳି ବହୁ ଉପାଦେୟ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚକ୍ଷୁ ଡ଼ାକ୍ତର ଓ ବିଶେଷଜ୍ଞମାନେ ବିଶ୍ୱ ଦୃଷ୍ଟି ଦିବସ ପାଳନ ଅବସରରେ ଉପସ୍ଥାପନ କରି ସତର୍କ କରାଇ ଦେଇଛନ୍ତି । ସାମାଜିକ ଅନୁଷ୍ଠାନ ‘ବୁଲ୍ସଆଇ’, ଆଡ଼ଭାନ୍ସ ଆଇ କେୟାର ହସ୍ପିଟାଲ ଏବଂ ଧଉଳି ଚାରୁକଳା ମହାବିଦ୍ୟାଳୟର ମିଳିତ ସହଯୋଗରେ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଡ଼ାକ୍ତର ନିରଞ୍ଜନ ରାଜ, ଡ଼ାକ୍ତର ନୀଳିମା ସାହୁ, ସମ୍ମାନିତ ଅତିଥି ରୂପେ ଓଡ଼ିଶା ଲଳିତକଳା ଏକାଡ଼େମୀର ସଚିବ ପଞ୍ଚାନନ ସାମଲ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ‘ବୁଲ୍ସଆଇ’ର ଚେୟାରମ୍ୟାନ୍ ତ୍ରିଲୋଚନ ବେଉରା, ସମ୍ପାଦକ ବାପିନା ନାୟକ, କୋଷାଧ୍ୟକ୍ଷ ପ୍ରିୟବ୍ରତ ପଣ୍ଡା ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ ପ୍ରମୁଖ ଯୋଗଦେଇ ଚଳିତ ବର୍ଷର ଥିମ୍ ରହିଥିବା ‘କର୍ମକ୍ଷେତ୍ରରେ ଚକ୍ଷୁର ଯତ୍ନ’ ସମ୍ପର୍କରେ ଆଲୋକପାତ କରିଥିଲେ । ତତ୍ ସହିତ ଏକଶହରୁ ଉର୍ଦ୍ଧ୍ୱ ଲୋକମାନଙ୍କର ନିଃଶୁଳ୍କ ରୂପେ ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକୀୟ ଡ଼ାକ୍ତରୀ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ଚକ୍ଷୁର ଯତ୍ନ ଓ ମହତ୍ତ୍ୱ ଉପରେ ଏକ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ‘ବୁଲ୍ସଆଇ’ ପକ୍ଷରୁ ଉତ୍ତରୀୟ, ମୋମେଣ୍ଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପାରାସେଲର ବାପିନା ନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।


