ବିଶ୍ୱ ପରିବେଶ ଦିବସରେ ପିଲାଟିଏ ଗଛ ଟିଏ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ପ୍ରତିବର୍ଷ ଜୁନ ମାସ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଏ।ପରିବେଶ ପ୍ରତି ଆମ ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ସମ୍ବନ୍ଧରେ ଏହି ଦିବସ ସମସ୍ତଙ୍କୁ ସଚେତନ କରାଇଥାଏ।ଚଳିତ ବର୍ଷ ପାଇଁ ବିଶ୍ୱ ପରିବେଶ ଦିବସର ବାର୍ତ୍ତା ହେଉଛି ଓଂଲି ୱାନ ନେସନ।ପ୍ରାକୃତିକ ଅସନ୍ତୁଳନ, ଜଳବାୟୁ ପରିବର୍ତ୍ତନ,ସବୁଜଗୃହ ବାଷ୍ପର ବୃଦ୍ଧି ଓ ବିଶ୍ୱ ତାପାୟନ ଯୋଗୁଁ ପ୍ରାକୃତିକ ଦୁର୍ବିପାକ ଓ ଜୈବ ବିବିଧତା କ୍ରମଶଃ ହ୍ରାସ ପାଉଛି।ଏଣୁ ପ୍ରାକୃତିକ ସମ୍ପଦର ସଂରକ୍ଷଣ, ପୁନରୁଦ୍ଧାର, ବ୍ୟାପକ ବନୀକରଣ ସହ ପରିବେଶ ପ୍ରଦୂଷଣର ସମାଧାନ ଏବଂ ଏ ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି ହେବା ଆବଶ୍ୟକ।ଏହି ପରିପ୍ରେକ୍ଷୀରେ ପୋୖରାଞ୍ଚଳ ସ୍ଥିତ ରୂପାନ୍ତରଣ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଚାରା ରୋପଣ ଅଭିଯାନର ଶୁଭାରମ୍ଭ କରିଥିଲେ।ସମ୍ମାନିତ ଅତିଥି ଭାବେ ଡି ଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ,ତହସିଲଦାର ପ୍ରଭାତ କୁମାର ପରିଡା, ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ସମ୍ପୃକ୍ତ ଉଚ୍ଚ ବିଦ୍ୟାଳୟ ସମେତ ସହର ଓ ଗ୍ରାମାଞ୍ଚଳରେ ଥିବା ଅନ୍ୟାନ୍ୟ ବିଦ୍ୟାଳୟ ଗୁଡିକରେ ପିଲାଟିଏ ଗଛଟିଏ ମାଧ୍ୟମରେ ୧୦୦ ଖଣ୍ଡ ଚାରା ଓ ଜୈବିକ ଖତ ପ୍ୟାକେଟ ବଣ୍ଟନ ହୋଇଥିଲା।ଏହି ଚାରା ରୋପଣ ସହ ସେଗୁଡ଼ିକର ଯତ୍ନ ନେବା ପାଇଁ ଜିଲ୍ଲାପାଳ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ପରିଚାଳନା କରିଥିଲେ । ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।