ବିଶ୍ୱ ପ୍ରସିଦ୍ଧ ଟୀକାକାର ଶ୍ରୀଧର ସ୍ୱାମୀ ଙ୍କ ଜୟନ୍ତୀ ସମାରୋହ
ବାଲେଶ୍ୱର, (ସରୋଜ ପଣ୍ଡା):ଶ୍ରୀଧର ସ୍ୱାମୀ ସ୍ମୃତି ପରିଷଦ ପକ୍ଷରୁ ବିଶ୍ୱପ୍ରସିଦ୍ଧ ଟୀକାକାର ଜଗତଗୁରୁ ଶ୍ରୀଧର ସ୍ୱାମୀଙ୍କ ଜନ୍ମବାର୍ଷିକୀ ସମାରୋହ ପରିଷଦର ସଭାପତି ପ୍ରତାପ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳାମନ୍ଦିରରେ ଅନୁଷ୍ଠିତ ଶନିବାର ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ ଡ. ପ୍ରହ୍ଲାଦ ଚରଣ ମହାନ୍ତି ମୁଖ୍ୟଅତିଥି, ଡ. ହରିଶ୍ଚନ୍ଦ୍ର ବେହେରା ମୁଖ୍ୟବକ୍ତା, ଶିକ୍ଷାବିତ ଡ. ଭାଗବତ ପ୍ରସାଦ ଦାସ ଓ ପ୍ରମୋଦ କୁମାର ପଣ୍ଡା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀଧର ସ୍ୱାମୀ ଚତୁର୍ଦ୍ଦଶ ଶତାବ୍ଦୀରେ ଜନ୍ମ ହୋଇ ଜଗତ୍ଗୁରୁ ଭାବରେ ସମଗ୍ର ଭାରତରେ ବିଦ୍ୱାନ ମଣ୍ଡଳୀଙ୍କ ଦ୍ୱାରା ସ୍ୱୀକୃତ ଲାଭ କରିଥିଲେ ବୋଲି କହିଥିଲେ । ବିଶେଷ କରି ଶ୍ରୀମଦ୍ ଭାଗବତ ଓ ଅନ୍ୟାନ୍ୟ ଶାସ୍ତ୍ରର ଭାଷ୍ୟକାର ଭାବରେ ପ୍ରସିଦ୍ଧି ଲାଭ ସହ ନିଜର ପ୍ରଚଣ୍ଡ ଜ୍ଞାନକୁ ମାନବ କଲ୍ୟାଣରେ ଉପଯୋଗ ପାଇଁ ଉଦ୍ୟମ କରିଥିଲେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ନିରଞ୍ଜନ ସାହୁ ଓ ଗୋପୀନାଥ ମହାରଣା ଶ୍ରୀଧର ସ୍ୱାମୀଙ୍କ ଜୀବନୀର ଅନାଲୋଚିତ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ଜେନା, ରାଜେନ୍ଦ୍ରନାଥ ରାଉତ, ଅକ୍ଷୟ କୁମାର ତ୍ରିପାଠୀ, ଯୋଗେଶ ଚନ୍ଦ୍ର ପ୍ରଧାନ, ସୀତାରାମ ପ୍ରଧାନ, ସୁଧୀର କୁମାର ନନ୍ଦୀ, ଅଖିଳ କୁମାର ଦାସ, ଗୋପାଳ ଜେନା, ଗୋପବନ୍ଧୁ ପାଣିଗ୍ରାହୀ, ଗୋପାଳ ଚନ୍ଦ୍ର ଦାସ, ଜଗବନ୍ଧୁ ପଟ୍ଟନାୟକ, ଅନୀଲ କୁମାର ପଟ୍ଟନାୟକ, ପୁରୁଷୋତ୍ତମ ବେହେରା ପ୍ରମୁଖ ଏହି ଜୟନ୍ତୀ ସମାରୋହରେ ଉପସ୍ଥିତ ଥିଲେ । ଏହି ଅବସରରେ ଦିବଂଗତ ବିଶିଷ୍ଟ କବି ହୁସେନ୍ ରବି ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅବସରପ୍ରାପ୍ତ ଅଧ୍ୟାପକ କମଳାକାନ୍ତ ଦାଶ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।