ବିଶ୍ୱ ପ୍ରାର୍ଥନା ଦିବସ ପାଇଁ ଦିବ୍ୟ ଜୀବନସଙ୍ଘର ନିବେଦନ
କେନ୍ଦ୍ରାପଡା ; ଜାନୁଆରୀ ପହିଲା ଦିବସକୁ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ପାଳନ କରିବାକୁ ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୁପାନନ୍ଦ ସରସ୍ୱତୀ ନିବେଦନ କରିଛନ୍ତି । ଏହି ଉପଲକ୍ଷେ ସୋମବାର ଅପରାହ୍ନରେ ଆଶ୍ରମ ପରିସରରେ ଏକ ପ୍ରସ୍ତୁତି ବୈଠକ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଇନଜୀବି ପ୍ରଦୀପ କୁମାର ଦାଶ,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ଆଇନଜୀବି ରମଣୀରଞ୍ଜନ ରାଉତରାୟ,ବିପ୍ଳବୀ ଆନନ୍ଦ ଜେନା ସ୍ମୃତି କମିଟି ସଭାପତି କରୁଣାକର ଦାସ,ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ,କିଶୋର ପ୍ରଧାନ,ଗଗନ ବିହାରୀ ଜେନା,ଦେବେନ୍ଦ୍ର ସାମନ୍ତ, ଦୂର୍ଗା ଚରଣ ପତି ପ୍ରମୁଖ ଯୋଗଦେଇ ସେ ସମ୍ପର୍କରେ ଆଲୋଚନା କରିବା ସହିତ ଜାନୁଆରୀ ପହିଲା ଦିବସକୁ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ପାଳନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ବର୍ତ୍ତମାନ ସମାଜର ଅବକ୍ଷୟ ଯୋଗୁ ଚାରିଆଡେ ଅଶାନ୍ତିର ଝଡ ସୃଷ୍ଟି ହେଉଥିବା ବେଳେ ଅନ୍ୟାୟ, ହିଂସାକାଣ୍ଡ, ଦୁର୍ନିତୀ, ଚୋରି , ବ୍ୟଭିଚାର, ନାରୀ ନିର୍ଯ୍ୟାତନା ପ୍ରଭୃତି ଯୋଗୁ ପରିବେଶ ଦୂଷିତ ହେଉଛି । ଆମଭିତରୁ ମାନବିକତା ଲୋପ ହୋଇ କୁସଂସ୍କାର ବ୍ୟାପି ଗଲାଣି । ଏଥିରୁ ରକ୍ଷା ପାଇବାକୁ ବ୍ୟକ୍ତିଗତ ଭାବେ, ସାମାଜିକ ଭାବେ, ଜାତୀୟ ବା ଆନ୍ତର୍ଜାତୀୟ ସ୍ତରରେ ସକଳ ସମସ୍ୟାର ସମାଧାନର ସୁତ୍ର ହେଉଛି ଈଶ୍ୱରଙ୍କୁ ପ୍ରାର୍ଥନା କରିବା । ଯଦି ଦେଶରେ ଶାନ୍ତି ଓ ସମୃଦ୍ଧି ଆମେ ଚାହୁଁଛେ ତେବେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ଗ୍ରାମରେ ନିଃଶ୍ୱାର୍ଥ ଭାବରେ ଆନ୍ତରିକତା ସହ ଶୁଦ୍ଧ ହୃଦୟରେ ପ୍ରାର୍ଥନା କରିବା ଉଚିତ । କଥିତ ଅଛି “ସକଳେ ହୋଇ ଏକ ମୁଖ ,ଡାକିଲେ ନାରାୟଣ ରଖ” ଶୁଦ୍ଧ ହୃଦୟରେ ସମବେତ ପ୍ରାର୍ଥନା କଲେ ସେଥିରୁ ଏକ ଆଧ୍ୟାତ୍ମିକ ମହାଶକ୍ତିର ଉତ୍ପନ୍ନ ହୋଇଥାଏ । ସେହି ମହାଶକ୍ତି ସମସ୍ତ ବାୟୁମଣ୍ଡଳରୁ ଦୂଷିତ ବାୟୁକୁ ନଷ୍ଟ କରିଦିଏ । ଏହି ସମବେତ ପ୍ରାର୍ଥନାରୁ ଯେଉଁ ଆଧ୍ୟାତ୍ମିକ ସ୍ପନ୍ଦନ ସୃଷ୍ଟି ହୁଏ ତାହା ବହୁଦୁର ଦୂରାନ୍ତରେ ପ୍ରସାରିତ ହୋଇ ସମସ୍ତଙ୍କୁ ଶାନ୍ତି, ଶକ୍ତି ଓ ସୈାହାଦ୍ର୍ଧ୍ୟ ପ୍ରଦାନ କରିଥାଏ । ବର୍ତ୍ତମାନ ଦେଶର ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ମିଶି ସମବେତ ହୋଇ ସବୁଧର୍ମ, ସମ୍ପ୍ରଦାୟ ଜାନୁଆରି ମାସ ପହିଲା ତାରିଖକୁ ବିଶ୍ୱ ପ୍ରାର୍ଥନା ଦିବସ ରୂପେ ପାଳନ କରିବାକୁ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ଗରାପୁର ପକ୍ଷରୁ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ସମସ୍ତଙ୍କୁ ଏହି ଅବସରରେ ନିବେଦନ କରିଛନ୍ତି ।