ବିଶ୍ୱ ଭିନ୍ନକ୍ଷମ ଦିବସରେ ଦୁଇ ଭିନ୍ନକ୍ଷମଙ୍କୁ ମିଳିଲା ଟ୍ରାଇ ସାଇକେଲ
ନାଉଗାଁ, (ଓ୍ବାଇଏନ୍ଏସ୍): ବିଶ୍ୱ ଭିନ୍ନକ୍ଷମ ଦିବସରେ ନାଉଗାଁ ବ୍ଳକର ଦୁଇ ଭିନ୍ନକ୍ଷମଙ୍କୁ ଗୁରୁବାର ବ୍ଳକ ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ବଂଟନ କରାଯାଇଛି । ଏହି ଦୁଇ ଭିନ୍ନକ୍ଷମ ମଧ୍ୟରେ ତିରୁଣା ପଂଚାୟତ ଦହିପାଳ ଗ୍ରାମର ବାସୁଦେବ ରାଉତ ଓ ଘୋଡାଂଶ ପଂଚାୟତ ତୋଟାପାଟଣା ଗ୍ରାମର ସୁଷମାରାଣୀ ମହାନ୍ତି । ବାସୁଦେବ ଦଶମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ହଠାତ ତାଙ୍କ ହାତ ଗୋଡ ଅଚଳ ହୋଇଯାଇଥିଲା । ଚିକିତ୍ସା ପରେ କୌଣସି ସୁଫଳ ମିଳି ନଥିଲା । ଦୀର୍ଘ ୫ ବର୍ଷ ହେବ ବାସୁଦେବ ଗୋଟିଏ ସ୍ଥାନରେ ପଡି ରହିଛନ୍ତି । ଦଳିତ ପରିବାର ହୋଇଥିବା ବେଳେ ଆର୍ôଥକ ଅନାଟନ ମଧ୍ୟରେ ପରିବାର ପକ୍ଷରୁ ତାଙ୍କୁ ଉତମ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଇ ପାରୁ ନଥିବା ବାପା ବୈରାଗୀ ରାଉତ ଦୁଃଖଭରା କଣ୍ଠରେ ପ୍ରକାଶ କରିଥିଲେ । ବାପା ମାଙ୍କର ଏକମାତ୍ର ପୁଅ ହୋଇଥିବା ବେଳେ ପୁଅର ଏପରି ଅବସ୍ଥାରେ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଉକ୍ତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ବାସୁଦେବଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ଉକ୍ତ ସାଇକେଲକୁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ବିଏସଏସଓ ଶ୍ରୀନିବାସ ବେହେରା, ପିଏ ପ୍ରସନ୍ନଜିତ ନାୟକ ଆଦି ଉପସ୍ଥିତ ରହି ବ୍ଳକ କାର୍ଯ୍ୟାଳୟରେ ବାସୁଦେବଙ୍କୁ ସାଇକେଲ ପ୍ରଦାନ କରିଥିଲେ । ଉକ୍ତ ସାଇକେଲ ପାଇବା ପରେ ବାସୁଦେବ ଖୁସି ହେବା ସହିତ ସାଇକେଲରେ ବସି ବାହାରକୁ ଯାଇ ଆସି ପାରିବେ ବୋଲି ପ୍ରକାଶ କରିଛନ୍ତି । ସେହିପରି ଘୋଡାଂଶ ପଂଚାୟତର ସୁଷମାରାଣୀ ମହାନ୍ତି (୬୦)ଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ଉକ୍ତ ସାଇକେଲକୁ ବିଏସଏସଓ ଶ୍ରୀନିବାସ ବେହେରା ଓ ସମାଜସେବୀ ତରୁଣକାନ୍ତ ବାରିକ ସୁଷମାଙ୍କ ଘରେ ପ୍ରଦାନ କରିଛନ୍ତି ।


