ବିଶ୍ୱ ମାନବାଧିକାର ଦିବସରେ ମାନବ ଅଧିକାର ସୁରକ୍ଷା ପାଇଁ ଦାବି

ଭୁବନେଶ୍ୱର,(ୱାଇଏନ୍ଏସ୍): ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ତରଫରୁ ସ୍ଥାନୀୟ ମହାତ୍ମା ଗାନ୍ଧୀ ମାର୍ଗ ଠାରେ ବିଶ୍ୱ ମାନବାଧିକାର ଦିବସ ପାଳନ ଅବସରରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ୧୯୪୮ ମସିହା ମିିଳିତ ଜାତିସଂଘର ନିଷ୍ପତ୍ତିକ୍ରମେ ଡ଼ିସେମ୍ବର ୧୦ ତାରିଖକୁ ମାନବାଧିକାର ଦିବସ ଭାବରେ ଘୋଷଣା କରାଯାଇଛି । ଆଜିର ଅନୁଷ୍ଠିତ ବିକ୍ଷୋଭ ସଭାରେ ପାର୍ଟିର ବରିଷ୍ଠ ନେତା ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି ଉଦ୍‌ବୋଧନ ଦେଇ କହିଥିଲେ ଯେ, ମାନବ ଅଧିକାର ଦିବସ ଘୋଷଣାର ୭୨ ବର୍ଷ ପରେ ମଧ୍ୟ ବିଭିନ୍ନ ଦେଶରେ ବ୍ୟାପକ ଭାବେ ମାନବିକ ଅଧିକାର ଉଲଂଘନ କରାଯାଉଛି । ମଧ୍ୟପ୍ରାଚ୍ୟର ସିରିଆ ଏବଂ ବିଭିନ୍ନ ଆଫ୍ରିକୀୟ ଦେଶମାନଙ୍କରେ ମାନବ ଅଧିକାରକୁ ବର୍ବରତାର ସହିତ ଦମନ କରାଯାଉଛି । ଆମ ଦେଶରେ ମଧ୍ୟ ଜାମ୍ମୁ କାଶ୍ମୀରକୁ ଜେଲ୍‌ରେ ପରିଣତ କରାଯାଇ ମାନବ ଅଧିକାରକୁ ହନନ କରାଯାଉଛି । ଦେଶର ବୁଦ୍ଧିଜୀବୀ, କବି, ଲେଖକମାନଙ୍କୁ ଅର୍ବାନ ନକ୍ସଲ କିମ୍ବା ରାଷ୍ଟ୍ରଦ୍ରୋହୀ ଆଖ୍ୟା ଦେଇ ଅମାନବିକ ଭାବରେ ବନ୍ଦୀ କରି ରଖାଯାଇଛି । ଦେଶର ୨୦ କୋଟି ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି । ଭୋକରେ ଥିବା ମଣିଷର ମାନବ ଅଧିକାର କଣ ରହିଲା ବୋଲି ପ୍ରଶ୍ନ କରିଛନ୍ତି? ଆଦିବାସୀ, ଦଳିତ, ମହିଳା ଅଧିକାରକୁ ହନନ କରିବା ମଧ୍ୟ ଗୁରୁତର ମାନବିକ ଅଧିକାର ଉଲଂଘନ । ଦେଶର ଶାସକ କର୍ପୋରେଟ ସ୍ୱାର୍ଥରେ ଭିଟାମାଟିରୁ ଉଚ୍ଛେଦ, ସାମ୍ପ୍ରଦିକ ବିଭେଦ ସୃଷ୍ଟି ବନ୍ଦ କରିବା, ମିଥ୍ୟା ଆରୋପରେ ଜେଲ୍‌ରେ ଥିବା ବନ୍ଦୀମାନଙ୍କୁ ମୁକ୍ତି କରିବା, ବାକ୍ ସ୍ୱାଧୀନତା, ଖାଦ୍ୟର ଅଧିକାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିିପିଆଇଏମ୍‌ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ରାଜ୍ୟ କମିଟି ସଭ୍ୟ ସାଲ ମାର୍ଣ୍ଡି, ପାର୍ଟିର ଆଞ୍ଚଳିକ ସମ୍ପାଦକ ରାମଚନ୍ଦ୍ର ତ୍ରିପାଠୀ, ପ୍ରଭାତ ପାଣିଗ୍ରାହୀ, ଜୟପ୍ରକାଶ ଭଞ୍ଜଦେଓ, ରମେଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ରହି ସରକାର ବିଶ୍ୱ ମାନବିକ ଅଧିକାରର ଅନୁଚିନ୍ତା ଯଥା- ମୁକ୍ତି, ସମାନତା ସ୍ୱାଧୀନ ଭାବରେ ଆତ୍ମ ମର୍ଯ୍ୟାଦାର ସହିତ ଜୀବନ ଯାପନ କରିବାର ଅଧିକାରକୁ ସୁରକ୍ଷିତ ରଖିବା, ଅଭିବ୍ୟକ୍ତିର ସ୍ୱାଧୀନତା, ବାକ୍ ସ୍ୱାଧୀନତା ଉପରେ ଆକ୍ରମଣ ବନ୍ଦ କରିବା, ମାନବିକ ଅଧିକାକୁ ଉଲଂଘନ କରାଯାଇ ଜେଲ୍‌ରେ ଥିବା ସମସ୍ତ ରାଜନୈତିକ, ସାମାଜିକ ବ୍ୟକ୍ତିବିଶେଷଙ୍କୁ ମୁକ୍ତ କରିବା, ଖାଦ୍ୟ, ବାସ, କାମ, ଜୀବନ ଏବଂ ଜୀବିକାର ଅଧିକାରକୁ ପ୍ରତିଷ୍ଠା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେଲେ ମାନବାଧିକାର ଦିବସର ଉପଯୁକ୍ତ ସମ୍ମାନ ହେବ ବୋଲି ମତପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ