ବିଶ୍ୱ ମୂର୍ତ୍ତିକା ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଜି ବିଶ୍ୱ ମୂର୍ତ୍ତିକା ଦିବସ । ପ୍ରତିବର୍ଷ ଡ଼ିସେମ୍ବର ୫ ତାରିଖଟିକୁ ସାରାବିଶ୍ୱ ମୂର୍ତ୍ତିକା ଦିବସ ରୂପେ ପାଳନ କରିଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ମାଟିର ସୁରକ୍ଷା । ସମ୍ପ୍ରତି ଜଳ, ବାୟୁ ପରି ମାଟି ବି ପ୍ରଦୂଷଣ କବଳରୁ ମୁକୁଳି ପାରିନି । ଅଧିକ ଫସଲ ଉତ୍ପାଦନ ଆଶାରେ ଚାଷଜମିରେ କୀଟନାଶକ ଓ ରାସାୟନିକ ସାର ବ୍ୟବହାର ଯୋଗୁଁ ଆଜି ମାଟି ବିଷ । ଆଉ ପୂର୍ବପରି ଫସଲ ବି ଫଳୁନାହିଁ । ଫଳରେ ଆଗକୁ ମାଡ଼ି ଆସୁଛି ଖାଦ୍ୟ ସଙ୍କଟ । ଚଳିତବର୍ଷର ଥିମ୍ ରହିଛି ‘ହାଲଟ୍ ସଏଲ୍ ସାଲିନାଇଜେସନ, ବୁଷ୍ଟ ସଏଲ୍ ପ୍ରଡ଼କ୍ଟଭିଟି’ । ଅର୍ଥାତ୍ ମାଟିକୁ ଲବଣମୁକ୍ତ କରିବା ସହ ଉତ୍ପାଦନ କ୍ଷମତା ବୃଦ୍ଧି ଦିଗରେ ଗୁରୁତ୍ୱ । ଏ ନେଇ ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଚିନ୍ତାପ୍ରକଟ କରିବା ସହ ଜନସଚେତନତା ଉଦ୍ଦେଶ୍ୟରେ ରଙ୍ଗ, ବେରଙ୍ଗ ମୁୁରୁଜକୁ ବ୍ୟବହାର କରି ମାଟିରେ ଫଳାଇଛନ୍ତି ସୁନାର ଫସଲ । ଇଂରାଜୀ ଭାଷାରେ ରହିଛି ଏକ ସୁନ୍ଦର କ୍ୟାପ୍ସନ୍ । ‘ହୋୟାର ଫୁଡ୍ ବିଗିନିସ୍’ । ଅର୍ଥାତ୍ ଯେଉଁଠାରେ ଖାଦ୍ୟର ସୃଷ୍ଟି, ତା’ର ସୁରକ୍ଷା ନିତାନ୍ତ ଜରୁରୀ । ସୁଶାନ୍ତ ଏହି ମର୍ମରେ କୁହନ୍ତି କୀଟନାଶକ, ରାସାୟନିକ ସାରର ବହୁଳ ବ୍ୟବହାର ଦ୍ୱାରା ମାଟି ବିଷ ପାଲଟିଗଲାଣି । ଏତଦ୍ସହ ଏହି କ୍ରମରେ ଜଳ, ବାୟୁ ବି ବିଷ ପାଲଟି ଯାଇଛି । ଏଣୁ ଚାଷଜମିରେ ଜୈବିକ ସାରର ପ୍ରୟୋଗ ନିତାନ୍ତ ଜରୁରୀ । ନଚେତ୍ ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେବ ବୋଲି ଶ୍ରୀ ସାହୁ ଏହି ଅବସରରେ କହିଛନ୍ତି ।