ବିଶ୍ୱ ଶ୍ରମିକ ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି
ବାଲେଶ୍ୱର, (ସରୋଜ ପଣ୍ଡା) :ଚଳିତ ବର୍ଷ ମଇ ପହିଲା ଦିନ ବାଲେଶ୍ୱରରେ ବିଶ୍ୱ ଶ୍ରମିକ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଶନିବାର ସନ୍ଧ୍ୟାରେ ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ତଥା ଟିୟୁଏସିସିର ଅଧ୍ୟକ୍ଷ ପ୍ରଦୀପ୍ତ ପଣ୍ଡା ବୈଠକରେ ସଭାପତିତ୍ୱ କରିଥିଲେ । ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଚଳିତ ବର୍ଷ ମଇ ପହିଲାରେ ଶ୍ରମିକ ଦିବସ ପାଳନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶ୍ରମିକମାନେ ଦୀର୍ଘବର୍ଷ ସଂଗ୍ରାମ କରି ହାସଲ କରିଥିବା ବହୁ ଦାବି କେନ୍ଦ୍ର ସରକାର ଗତବର୍ଷ ପ୍ରତ୍ୟାହାର କରିନେଇଛନ୍ତି । ଦେଶରେ ଦରଦାମ୍ ବୃଦ୍ଧି ଓ ବେକାରୀ ସମସ୍ୟା ଉତ୍କଟ ହୋଇଛି । କଳକାରଖାନା ବନ୍ଦ ହୋଇ ଯାଉଛି । ଛଟେଇ ଶ୍ରମିକ ପରିବାର ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତିକୁ ସମର୍ଥନ ଜଣାଉଛନ୍ତି । ବିପୁଳ ଅର୍ଥ ବ୍ୟୟରେ କେନ୍ଦ୍ର ଓ ରାଜ୍ୟ ସରକାରରେ ଥିବା ଦଳମାନେ କ୍ଷମତା ଦଖଲ କରୁଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ । ତେଣୁ ଶ୍ରମିକମାନଙ୍କର ଅଧିକ ଐକ୍ୟ ଓ ଲଗାତର ସଂଗ୍ରାମ ପାଇଁ ଚଳିତ ବର୍ଷ ମଇ ପହିଲାରେ ଶ୍ରମିକଶ୍ରେଣୀ ଶପଥ ନେବାକୁ ସେ ଆହ୍ୱାନ ଦେଇଥିଲେ । ଚଳିତବର୍ଷ ମଇ ପହିଲାକୁ ସ୍ୱାଗତ ଜଣାଇ ଏପ୍ରିଲ୍ ୩୦ ତାରିଖ ଶନିବାର ସନ୍ଧ୍ୟାରେ ଗୋଳାପୋଖରୀ ଛକରୁ ମଶାଲ ଶୋଭାଯାତ୍ରା ଓ ମଇ ପହିଲା ଦିନ ଅପରାହ୍ନରେ ବାଲେଶ୍ୱର ରେଳଷ୍ଟେସନ୍ରୁ ଶୋଭାଯାତ୍ରା ବାହାରିବ । ଗାନ୍ଧିସ୍ମୃତି ଭବନ ସମ୍ମୁଖରେ ମଇ ପହିଲା ସମାବେଶରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ଯୋଗଦେବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଶ୍ରମଜୀବୀ ଜନଗଣ ଯୋଗଦେବାକୁ ଟିୟୁଏସିସି ପକ୍ଷରୁ ନିବେଦନ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ଶ୍ରମିକ ସଂଗଠନ ଓ ଗଣସଂଗଠନ ମାନଙ୍କ ପକ୍ଷରୁ ପ୍ରେମରଂଜନ ପାତ୍ରଙ୍କ ସମେତ ରବିନାରାୟଣ ମିଶ୍ର, ପରମେଶ୍ୱର ପାତ୍ର, ଉମାକାନ୍ତ ଦାସ, ମହେଶ ପାତ୍ର, ସୁବ୍ରତ ପଣ୍ଡା, ଶରତ ଚନ୍ଦ୍ର ଦଳାଇ, ଭରତ ଚନ୍ଦ୍ର ସେଠୀ, ବନ୍ଦନା ପାତ୍ର, ଅରୁଣ ଜେନା, ନିରଞ୍ଜନ ପରିଡ଼ା ଓ ରାଜେନ୍ଦ୍ର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଆଇଟିୟୁସିର ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ ।