ବିଷାକ୍ତ ଚିଟିସାପ କାମୁଡ଼ାରେ ବୃଦ୍ଧା ମୃତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ପଂଚାୟତ ମରାଇପାଟ ଗ୍ରାମର ହରି ଗୌଡ଼ଙ୍କ ସ୍ତ୍ରୀ ଶଶୀ ଗୌଡ଼ (୬୫) ଏକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ କିଛି ଦିନ ତଳେ ହରି ଗୌଡ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ I ସେଥିପାଇଁ ସେ ତାଙ୍କର ଦୁଇଟି ଚାଳଛପର ଘରୁ ଗୋଟିଏ ବଖରା ଭାଙ୍ଗି ଘର କାମ ଆରମ୍ଭ କରିବା ସହିତ ଗୋଟିଏ କୋଠରୀରେ ହିଁ ବସବାସ କରୁଥିଲେ I ଗତ ରାତିରେ ଖାଇପିଇ ଉଭୟ ସ୍ୱାମୀ ସ୍ତ୍ରୀ ଶୋଇଥିଲେ I ରାତ୍ର ଦୁଇଟାରୁ ତିନିଟା ମଧ୍ୟରେ ଏକ ବିଷାକ୍ତ ଚିଟି ସାପ ହରି ଗୌଡ଼ଙ୍କ ସ୍ତ୍ରୀ ଶଶୀ ଗୌଡ଼ଙ୍କର ହାତକୁ କାମୁଡ଼ି ଦେଇଥିଲା I ଯନ୍ତ୍ରଣା ହେବାରୁ ଶଶୀ ଗୌଡ଼ ନିଦରୁ ଉଠି ସାପଟିକୁ ଦେଖିବାକୁ ପାଇଥିଲେ I ସାପଟି ପୁଣି ଥରେ ଶଶୀଙ୍କୁ କାମୁଡ଼ିବା ସହିତ ଶଶୀଙ୍କ ଦେହରେ ଗୁଡ଼ାଇ ହୋଇଯାଇଥିଲା I ଶଶୀ ନିଜ ଦେହରୁ ସାପଟିକୁ ବାହାର କରିବାକୁ ଚେଷ୍ଟା କରୁ୍ଥିବା ବେଳେ ସାପଟି ଚାରି ପାଞ୍ଚ ଥର ପର୍ଯ୍ୟନ୍ତ ଶଶୀଙ୍କୁ କାମୁଡ଼ି ଚାଲିଥିଲା I ଶେଷରେ ଶଶୀ ଅନ୍ୟ ଉପାୟ ନପାଇ ଶଶୀ ନିଜକୁ ସାପ କବଳରୁ ଋକ୍ଷ କରିବା ପାଇଁ ସାପଟିକୁ ମାରିଦେଇଥିଲେ I ସାପଟି ମରିଯିବା ପରେ ଶଶୀ ସ୍ୱାମୀ ହରିଙ୍କୁ ଉଠାଇ ସାପ କାମୁଡ଼ିବା ସମ୍ପର୍କରେ କହିଥିଲେ I ଏହାପରେ ସକାଳ ସାତ ଘଣ୍ଟା ସମୟରେ ଶଶୀଙ୍କୁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା I କିନ୍ତୁ ସେଠାରେ ଶଶୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗର ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶଶୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା I ଘଟଣା ସମ୍ପର୍କରେ ଶଶୀଙ୍କ ପୁଅ ବୀରେନ୍ଦ୍ର ଗୌଡ଼ ଗାଙ୍ଗପୁର ଥାନାରେ ଜଣାଇବା ପରେ ଗାଙ୍ଗପୁର ପୋଲିସ୍ ୧୪/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମେଡ଼ିକାଲ୍ ରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲା I ଶଶୀଙ୍କର କୌଣସି ସନ୍ତାନ ସନ୍ତତି ନଥିବାରୁ ତାଙ୍କ ମଝିଆ ଦିଅରର ପୁଅ ବିରେନ୍ଦ୍ର ଗୌଡ଼ଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି I ଶଶୀଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି I