ବିସ୍ତାପିତଙ୍କ ସମସ୍ୟାକୁ ନେଇ ଭାଜପାର ବୈଠକ
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ବ୍ଲକର ବିଲେଇପଦାଠାରେ ଶନିବାର ଭାଜପା ବିଲେଇପଦା ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଅଲେଖ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାଜପାର ନେତୃବୃନ୍ଦ ମଧ୍ୟରେ ଡ. ମୁରଲୀ ମନୋହର ଶର୍ମା, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ ପ୍ରମୁଖ ଯୋଗ ଦେଇ ମଣ୍ଡଳ କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରିଥିଲେ । ବାସୁଦେବଠାରେ ନିର୍ମାଣାଧିନ କାନପୁର ଜଳ ସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତଙ୍କୁ ଥଇଥାନ ପାଇଁ ସରକାର ନିର୍ମାଣ କରିଥିବା ପୂନର୍ବାସ ଥଇଥାନ କଲୋନୀରେ ମୌଳିକ ସୁବିଧା ମିଳି ପାରୁନାହିଁ । ସରକାର ବିସ୍ଥାପନ ଓ ଥଇଥାନ ନିୟମ ୨୦୦୬କୁ ଠିକ ଭାବେ ପାଳନ କରୁ ନଥିବା ଥଇଥାନ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରିବା ପର୍ଯ୍ୟନ୍ତ ବିସ୍ଥାପିତଙ୍କୁ ବାସଚ୍ୟୁତ ନ କରିବା, ଚମକପୁର ବିସ୍ଥାପିତ ପ୍ରଭୃତି ସମସ୍ୟାର ସମାଧାନ ଦିଗରେ ସରକାର ଦୃଷ୍ଟି ଦେଉ ନଥିବାରୁ ଶନିବାର ଆୟୋଜିତ ଏହି ବୈଠକରେ ଉପସ୍ଥିତ ନେତୃବୃନ୍ଦ ଉଦ୍ବେଗ ପ୍ରକାଶ କରିଥିଲେ । ଏହି ବୈଠକରେ ଉପସଭାପତି ତଥା ମଣ୍ଡଳ ପ୍ରଭାରି ଦେବ ପ୍ରସାଦ ମିଶ୍ର, ଜିଲା ଉପସଭାପତି ଅଗନୁ ଚରଣ ମହାନ୍ତ, ଜିଲା କାର୍ଯ୍ୟକାରିଣୀ ସଦସ୍ୟା ସୋମବାରୀ ମୁଣ୍ଡା, ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ସରୋଜିନୀ ମହାକୁଡ, ମଣ୍ଡଳ ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ନାଏକ, ମଣ୍ଡଳ ଉପସଭାନେତ୍ରୀ ପ୍ରମିଳା ବାରିକ, ଓବିସି ମୋର୍ଚ୍ଚା ସଭାପତି ଉଦୟନାଥ ବାରିକ, ଏସସି ମୋର୍ଚ୍ଚା ସଭାପତି ମିଲନ ବେହେରା, କୃଷକ ମୋର୍ଚ୍ଚା ସଭାପତି ଚକ୍ରଧର ନାୟକ ପ୍ରମୁଖ ସମେତ ବହୁ ନେତ୍ରୀ ଓ ନେତା ଏଥିରେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଓଡିଶାର ୨ୟ ବୃହତମ ନଦୀବନ୍ଧ ଯୋଜନା କାନପୁର ବୃହତ୍ ଜଳ ସେଚନ ପ୍ରକଳ୍ପରେ ୧୬ଟି ଗ୍ରାମ ମଧ୍ୟରୁ ୧୪ଟି ଗ୍ରାମ ବିସ୍ଥାପିତ ହେଉଛନ୍ତି ।


