ବିିଭିନ୍ନ ଦାବି ନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ
ଛତ୍ରପୁର, (ଦେବଦତ୍ତ ମହାରଣା): ବିଭିନ୍ନ ଦାବି ନେଇ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଜି ମୁହଁରେ କଳା ମାସ୍କ ଓ ହାତରେ କଳା ବ୍ୟାଜ୍ ପରିଧାନ କରି ନୀରବ ପ୍ରତିବାଦ କରାଯାଇଛି । କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ରାଷ୍ଟ୍ରୀୟ ସଂଗଠନ ମାଧ୍ୟମରେ ଅବଗତ କରାଯାଇଛି । ଯାହାର ଦେଶରେ ବିଭିନ୍ନ ଜିଲ୍ଲା ମାନଙ୍କରେ ସଂଗଠନର ନିଷ୍ପତ୍ତି କ୍ରମେ ଏହି ପ୍ରତିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି । ପ୍ରକାଶଥାଉକି, ଦୀର୍ଘ ୮ ବର୍ଷରୁ ଅଧିକ ସମୟ ଧରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗୁଡିକରେ କର୍ମଚାରୀମାନେ କମ୍ ପାରିଶ୍ରମିକରେ ଶିଶୁ ସୁରକ୍ଷା ଭଳି ସ୍ପର୍ଶକତର କାର୍ଯ୍ୟ କରିବା ସଙ୍ଗେ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନା ଗୁଡିକ ସଫଳ ଭାବେ ରୂପାୟନ କରୁଛନ୍ତି । ବଜାର ଦର ଆକାଶ ଛୁଆଁ ହୋଇଥିବା ବେଳେ ଦୀର୍ଘଦିନ ଧରି କମ୍ ପାରିଶ୍ରମିକରେ ହାତଗଣତି କର୍ମଚାରୀ ଶିଶୁ ସୁରକ୍ଷା ଭଳି ସଙ୍ଗୀନ୍ କାର୍ଯ୍ୟକୁ ଜିଲ୍ଲାସ୍ତରରେ ନିର୍ବାହନ କରି ଆସୁଛନ୍ତି । ବହୁତ ବାର ଲିଖିତ ମାଧ୍ୟମରେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କୁ ଜଣାଇଥିଲେ ସୁଦ୍ଧା ଆଶାନୁରୂପକ ବ୍ୟବସ୍ଥା ଯେପରି କର୍ମଚାରୀଙ୍କୁ ନିୟମିତ କରିବା, ଦରମା ବୃଦ୍ଧି ଓ ଅନ୍ୟାନ୍ୟ ସୁବିଧା କିଛି କରାଯାଇ ନାହିଁ । ଏହାକୁ ଅନୁଭବ କରି ଏବଂ ରାଷ୍ଟ୍ରୀୟ ସଂଗଠନର ପରାମର୍ଶ କ୍ରମେ ଆଜି ସମଗ୍ର ରାଜ୍ୟରେ ତଥା ଦେଶରେ ଏହି ଦିବସକୁ ଶାନ୍ତିପୂର୍ଣ୍ଣ ଭାବେ ଶିଶୁ ସୁରକ୍ଷା କର୍ମଚାରୀମାନେ ପ୍ରତିବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ସୁରକ୍ଷା ଅଧିକାରୀ ଶରତ ମହାରଣା, ସୁଶାନ୍ତ କୁମାର ସାହୁ, ସୁଜିତ୍ କୁମାର ସାହୁ, ଶିବପ୍ରସାଦ ରଥ, ସାମାଜିକ କର୍ମୀ ସୁଦାମ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ ।