ବୀଣାପାଣୀ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ ଶିକ୍ଷା ଜୀବନର ମାଇଲଖୁଣ୍ଟ
ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍): ପିଚୁକୁଳିସ୍ଥିତ ବୀଣାପାଣୀ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଶିକ୍ଷାନୁଷ୍ଠାନ ସଭାପତି ଡଃ. ପ୍ରଫୁଲ୍ଲ କୁମାର ଯତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥିଭାବେ ପାଞ୍ଚଗଡ଼ର ରତ୍ନ ତଥା ଶିକ୍ଷାବିତ୍ କାଳୀଚରଣ ଜୟସିଂହ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ରାଜକିଶୋର ବ୍ରହ୍ମା ଓ ସମ୍ମାନିତ ଅତିଥିଭାବେ ସରପଞ୍ଚ ଅନନ୍ତ ନାରାୟଣ ସେଠୀ, ଫକୀର ଚରଣ ସ୍ୱାଇଁ, ପୂର୍ବତନ ବ୍ଲକ ଶିକ୍ଷା ନିରୀକ୍ଷକ ଗଙ୍ଗାଧର ଜେନା ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ନିମନ୍ତ୍ରିତ ଅତିଥି ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ଉଦ୍ଘାଟନ କରିଥିଲେ । ଶିକ୍ଷାବିତ୍ ରାଜକିଶୋର ବ୍ରହ୍ମା ବେଦପାଠ କରିଥିବାବେଳେ ଶିକ୍ଷାନୁଷ୍ଠାନ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।ଆରମ୍ଭରେ ସଭାପତି ଡଃ. ଯତି ସ୍ୱାଗତ ଭାଷଣ ଦେଇଥିବାବେଳେ ସଂପାଦକ ପାଣ୍ଡବ ସାହୁ ଅତିଥି ପରିଚୟ ପ୍ରଦାନ କରି ସଂପାଦକୀୟ ବିବରଣୀ ପାଠ କରିଥିଲେ । ଶିକ୍ଷାନୁଷ୍ଠାନର ପ୍ରଧାନାଚାର୍ଯ୍ୟା ପ୍ରମୋଦିନୀ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ଭାବେ କାଳୀଚରଣ ଜୟସିଂହଙ୍କୁ “ବୀଣାପାଣୀ ସାରସ୍ୱତ ଶିକ୍ଷକ ସମ୍ମାନ’, ବରିଷ୍ଠ ସମାଜସେବୀ ରାଜକିଶୋର ବ୍ରହ୍ମାଙ୍କୁ “ବୀଣାପାଣି ସାରସ୍ୱତ ସମାଜ ସେବକ ସମ୍ମାନ’ ଓ ବରିଷ୍ଠ ଗଣିତ ଶିକ୍ଷକ ତଥା ପୂର୍ବତନ ଆଞ୍ଚଳିକ ସାଧନ ସଂଯୋଜକ ସାନନ୍ଦ କୁମାର ସାହୁଙ୍କୁ “ବୀଣାପାଣି ସାରସ୍ୱତ ଗଣିତ ଶିକ୍ଷକ ସମ୍ମାନ’ ଶିକ୍ଷାନୁଷ୍ଠାନ ତରଫରୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷା ଜୀବନର ମାଇଲଖୁଣ୍ଟ ଓ ସମସ୍ତ ପ୍ରଗତିର ପଥ ପ୍ରଦର୍ଶକ ଏବଂ ଶିକ୍ଷା ବିନା ଜୀବନ ନିରର୍ଥକ ବୋଲି ସମସ୍ତ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଦେବୀ ପ୍ରସାଦ ପଟ୍ଟନାୟକ, ଗୁରୁମା ବିନୋଦିନୀ ସାହୁ, ସୁନିତା ସାହୁ, ରୀତାଞ୍ଜଳୀ ସାମନ୍ତରାୟ ପ୍ରମୁଖଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରିଥିଲେ । ଗୁରୁମା ଭାରତୀ ଜଗଦ୍ଦେବ, ନିବେଦିତା ମହାପାତ୍ର , ଉର୍ମିଳା ସାହୁ କାର୍ଯ୍ୟକ୍ରମ ସଂଯୋଜନା ତଥା ପରିଚାଳନା କରିଥିଲେ । ଶେଷରେ ଶିକ୍ଷାନୁଷ୍ଠାନ ସହସମ୍ପାଦକ ବିକାଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


