ବୀମା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସମାଜସେବୀ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଥାନା ଅଧୀନସ୍ଥ କାକଟପୁର ବ୍ଲକ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଶତାଧିକ ଚାଷୀ ବୀମା କମ୍ପାନୀ ପକ୍ଷରୁ ପ୍ରଦତ୍ତ ଅର୍ଥରାଶି ପ୍ରଦାନ କରିବାରେ ପୁରୀ – ନିମାପଡ଼ା ସମବାୟ ବ୍ୟାଙ୍କ କାକଟପୁର ଶାଖାର ମନମାନି ନୀତି ଓ ବୀମା ଅର୍ଥ ପ୍ରଦାନ କରିବାରେ ଚାଷୀ ସମୂହ ତରଫରୁ ସାମ୍ବାଦିକ ତଥା ସମାଜସେବୀ ଭାଗୀରଥୀ ସ୍ୱାଇଁ ପୁରୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି। ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧୀନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି, ଉପୁଳା, ବୋବୁଆ, ଜଗନ୍ନାଥପଡା, ତଇଲୋ, ସନ୍ତରସ ଓ ପୁବେଇ ସମେତ ଏହି ସମିତି ଅଧିନସ୍ଥ ଚାଷୀ ମାନଙ୍କ ୨୦୨୦ ଖରିଫ ଫସଲ ହାନି ବାବଦରେ ବୀମା କମ୍ପାନୀ ପକ୍ଷରୁ ପୁରୀ – ନିମାପଡ଼ା ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ଗତ ଅଗଷ୍ଟ ମାସ ୯ତାରିଖ ଠାରୁ ଚାଷୀ ମାନଙ୍କ ଆର୍ଥିକ ସହାୟତା ବାବଦରେ ୯୮ ଲକ୍ଷ ଟଙ୍କା ଆସିଥିଲା । ଏହି ଅର୍ଥରାଶି ପୁରୀ – ନିମାପଡ଼ା ସମବାୟ ବ୍ୟାଙ୍କ ପକ୍ଷରୁ କାକଟପୁର ସ୍ଥିତ ପୁରୀ – ନିମାପଡ଼ା ସମବାୟ ଶାଖା କାର୍ଯ୍ୟାଳୟକୁ ଏହି ବୀମା ଅର୍ଥରାଶି ପ୍ରଦାନ କରାଯାଇଛି । ମାତ୍ର ଏହି ଅର୍ଥରାଶି ଆସିବାର ଏକ ମାସ ବିତିଯାଇଥିଲେ ମଧ୍ୟ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଶତାଧିକ ଚାଷୀ ବୀମା କମ୍ପାନୀ ପ୍ରଦତ୍ତ ଫସଲ ହାନି ସହାୟତା ପାଇପାରୁ ନାହାନ୍ତି। ଫଳରେ କୋଭିଡି ମହାମାରୀ ସହ ଲଗାଣ ବର୍ଷା ଜନିତ ଫସଲ ହାନି କୃଷକ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। କୃଷକ ମାନେ ଘୋର ଆର୍ଥିକ ସଂକଟ ମଧ୍ଯରେ ଜୀବନଯାପନ କରୁଥିବା ବେଳେ କାକଟପୁର ସ୍ଥିତ ପୁରୀ – ନିମାପଡ଼ା ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଓ ପୁରୀ – ନିମାପଡ଼ା ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସମନ୍ଵୟ ଅଭାବରୁ ଚାଷୀମାନେ ଫସଲହାନି ସହାୟତା ବାବଦରେ ଆସିଥିବା ବୀମା ଅର୍ଥରାଶି ପାଇପାରୁନାହାନ୍ତି ବୋଲି କୃଷକ ମାନଙ୍କ ପକ୍ଷରୁ ସାମ୍ବାଦିକ ତଥା ସମାଜସେବୀ ଭାଗୀରଥୀ ସ୍ୱାଇଁ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେଇ ତୁରନ୍ତ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଚାଷୀ ମାନଙ୍କୁ ଫସଲହାନି ବାବଦରେ ଆସିଥିବା ବୀମା ସହାୟତା ରାଶି ପ୍ରଦାନ ପାଇଁ ପୁରୀ ସମବାୟ ବ୍ୟାଙ୍କ ସଂପାଦକ ଓ କାକଟପୁର ଶାଖାର ପରିଚାଳକ କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ସ୍ୱାଇଁ ଦାବି କରିଛନ୍ତି।


