ବୀର ରାଜକୁମାର ମାନଙ୍କ ସ୍ମୃତିର ସ୍ମାରକୀ ପୁରୀ ଅଠରନଳା ପୋଲ
ସନ୍ତୋଷ କୁମାର ଦାଶ
ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ ର ପ୍ରବେଶ ପଥ ରେ ପଡ଼େ ଅଠରନଳା ପୋଲ। ଯେଉଁ ଭକ୍ତ, ଯାତ୍ରୀ, ପର୍ଯ୍ୟଟକ ଶଙ୍ଖ କ୍ଷେତ୍ର ପୁରୀ ଆସିଛନ୍ତି ସମସ୍ତେ ନିଶ୍ଚୟ ଅଠରନଳା ପୋଲ ଦେଖିଛନ୍ତି। ଏହା ଏକ କ୍ଷୁଦ୍ର ପୋଲ , ଯାହା ମୂଷା ନଈ ଉପରେ ପୁରାତନ ଇଟା ରେ ନିର୍ମିତ ହୋଇଛି ଓ ଏଥିରେ ୧୮ ଟି ନଳା ରହିଛି । ଅଠରନଳା ର ନିର୍ମାଣ ଶୈଳୀ ମଧ୍ୟ ବିଚିତ୍ର । ଏହି ପୋଲ ର ପ୍ରତିଟି ନଳାର ଦୈର୍ଘ୍ୟ ୨୦ ଫୁଟ । ମାତ୍ର ନଳା ଗୁଡ଼ିକର ଝୁଲଣ ଗୁଡ଼ିକର ପ୍ରସ୍ଥ ସମାନ ନୁହେଁ । ମଧ୍ୟ ଭାଗରେ ଥିବା ଝୁଲଣ ଦୁଇଟି ସବୁଠୁ ବଡ ପ୍ରାୟ ୧୭ ଫୁଟ । ଯାହା କ୍ରମାନ୍ୱୟରେ ଉଭୟ ଦିଗରେ ଛୋଟ ହୋଇ , ଶେଷ ଝୁଲଣ ରେ ମାତ୍ର ୧୨ ଫୁଟ ହୋଇଛି । ମାଦଳାପାଞ୍ଜି ରେ ଏହି ପୋଲ ସମ୍ପର୍କରେ କିଛି କଥା ଲିପିବଦ୍ଧ ରହିଛି । ଏଥିରେ ଲେଖା ହୋଇଛି ଯେ,ଅଠରନଳା ପୋଲ ରାଜା ପଦ୍ମନାଭ ସିଂହ ନରେନ୍ଦ୍ରଙ୍କ ପୁତ୍ର । ଆଶ୍ଚର୍ୟ୍ଯ ଲାଗେ ଗୋଟିଏ ପୋଲ କିପରି ଜଣେ ରାଜାଙ୍କ ପୁତ୍ର ହୋଇପାରିଲା। ପୁରୀ ଠାରୁ ୫୦ କିମି ଦୂର ପଶ୍ଚିମରେ ଥିଲା ରଣପୁର ରାଜ୍ୟ । ରଣପୁର ର ତତ୍କାଳୀନ ରାଜା ପଦ୍ମନାଭ ସିଂହ ନରେନ୍ଦ୍ର ପୁତ୍ରହୀନ ଥିଲେ। ଅପୁତ୍ରିକ ଦୋଷ ରୁ ମୁକ୍ତି ପାଇବା ପାଇଁ ରାଜା ସନ୍ଥ ଅଚ୍ୟୁତାନନ୍ଦ ଙ୍କ ଶରଣାପନ୍ନ ହେଲେ । ସନ୍ଥ ଅଚ୍ୟୁତାନନ୍ଦ ଙ୍କୁ ନିଜ ରାଜପ୍ରସାଦକୁ ଡକାଇ ସେଠାରେ ତାଙ୍କ ରହଣି ପାଇଁ ସବୁ ପ୍ରକାରର ବ୍ୟବସ୍ଥା କଲେ । ରଣପୁର ର ରହଣି କାଳରେ ସନ୍ଥ ଅଚ୍ୟୁତାନନ୍ଦ ଓଡ଼ିଆ ରେ ହରିବଂଶ ପୁରାଣ ରଚନା କରିଥିଲେ ବୋଲି ଗବେଷକ ମାନେ କୁହନ୍ତି। ଲୋକକଥା ରହିଛି ଯେ, ପ୍ରତ୍ୟହ ରାଜା ହରିବଂଶ ପୁରାଣ ଶ୍ରବଣ କରିବାରୁ ହରି ଙ୍କ ଆଶୀର୍ବାଦ ରୁ କାଳାନ୍ତରେ ସେ ୧୮ ଟି ପୁତ୍ର ଙ୍କ ର ପିତା ହୋଇପାରିଥିଲେ। ଦୈବୀ କୃପା ରୁ ଜନ୍ମିତ ଏହି ୧୮ ଜଣ ରାଜକୁମାର ପ୍ରାପ୍ତବୟସ୍କ ହୋଇ ବହୁ କଳାର ଅଧିକାରୀ ହୋଇଥିଲେ । ନିଜ ନିଜର ବୀରତ୍ଵ ରଣକୌଶଳ ହେତୁ ପରବର୍ତ୍ତୀ ସମୟରେ ସେମାନେ ତତ୍କାଳୀନ ଉତ୍କଳର ଗଜପତି ମହାରାଜା ମୁକୁନ୍ଦଦେବ ଙ୍କ ଠାରୁ ୧୮ ଟି ଉପାଧି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ସେହି ୧୮ ଟି ଉପାଧି ଗୁଡ଼ିକ ଥିଲା ଶ୍ରୀଚନ୍ଦନ ,ଜଗଦେବ, ବିଦ୍ୟାଧର, ଛୋଟରାୟ,ହରିଚନ୍ଦନ, ଭ୍ରମରବର,କ୍ଷତ୍ରିବର,ବୀରବର ,ମଙ୍ଗରାଜ , ରାୟସିଂହ ,ଜଗତସିଂହ , ରାଜେନ୍ଦ୍ର ସିଂହ , ମର୍ଦ୍ଦରାଜ ସିଂହ ,ସୁରେନ୍ଦ୍ର ସିଂହ, ମାନସିଂହ , ଗଜେନ୍ଦ୍ର ସିଂହ , ପୃଥ୍ୱିସିଂହ ଓ ବିରସିଂହ । ଏହି ୧୮ ଉପାଧି ନିମନ୍ତେ ସେମାନେ ଗଜପତି ମହାରାଜା ମୁକୁନ୍ଦଦେବଙ୍କ ଠାରୁ ୧୮ ଟି ସନନ୍ଦ ମଧ୍ଯ ପାଇଥିଲେ ଓ ସେମାନଙ୍କ ସୁଖ୍ୟାତି ଭାରତର ବିଭିନ୍ନ ରାଜ୍ୟରେ ବିଖ୍ୟାତ ହୋଇଥିଲା । ଗଜପତି ମହାରାଜା ମୁକୁନ୍ଦ ଦେବଙ୍କ ରାଜତ୍ଵ କାଳରେ ତତ୍କାଳୀନ ବଙ୍ଗଳା ର ନବାବ ଙ୍କ ସେନାପତି କଳାପାହାଡ଼ ଓଡ଼ିଶା ଆକ୍ରମଣ କରିଥିଲା । ଜଗନ୍ନାଥ ମନ୍ଦିର କୁ ତଥା ଓଡ଼ିଶା କୁ ମୁସଲମାନ ଆକ୍ରମଣରୁ ରକ୍ଷାକରିବା ନିମନ୍ତେ କଳାପାହାଡ଼ ସହ ଅତ୍ୟନ୍ତ ବିରତାର ସହ ଯୁଦ୍ଧ କରି ରଣପୁର ରାଜା ପଦ୍ମନାଭ ସିଂହ ନରେନ୍ଦ୍ରଙ୍କ ୧୮ ପୁତ୍ର ମଧ୍ୟରୁ ୧୭ ଜଣ ବୀରଗତି ପ୍ରାପ୍ତ ହୋଇଥିଲେ । କେବଳ ଯୁବରାଜ ପାର୍ଥ ଶ୍ରୀଚନ୍ଦନ ଏହି ଭୟାବହ ଯୁଦ୍ଧରୁ ବଞ୍ଚିଯାଇଥିଲେ । ମାତ୍ର କିଛି ଦିନ ପରେ ତାଙ୍କର ମଧ୍ୟ ଆକସ୍ମିକ ମୃତ୍ୟୁ ହୋଇଥିଲା । ସମସ୍ତ ଅଠର ଜଣ ପୁତ୍ର ଙ୍କ ବିୟୋଗ ରେ ଶୋକରେ ରାଜା ପଦ୍ମନାଭ ସିଂହ ନରେନ୍ଦ୍ର ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।ତେଣୁ ରାଜା ତାଙ୍କର ୧୮ ପୁତ୍ର ଙ୍କର ଅମର ସ୍ମୁତି ରକ୍ଷା ନିମନ୍ତେ ପୁରୀ ସହର ର ଉତ୍ତର ଦିଗରେ ଥିବା କ୍ଷୁଦ୍ର ମୂଷା ନଦୀ ଉପରେ ଅଠରନଳା ନିର୍ମାଣ କରି ଥିଲେ। ରଣପୁର ରାଜ୍ୟର ବୀର ୧୮ ଜଣ ରାଜକୁମାର ଙ୍କ ସ୍ମୁତିରେ ନିର୍ମିତ ଏହି ସ୍ମାରକୀ ବର୍ତ୍ତମାନ ଅଠରନଳା ରୂପରେ ପ୍ରସିଦ୍ଧି ଲାଭ କରିଛି। ଖାଲି ସେତିକି ନୁହେଁ ପୁତ୍ର ବିୟୋଗ ରେ ଜର୍ଜରିତ ରଣପୁର ରାଜା ପଦ୍ମନାଭ ସିଂହ ନରେନ୍ଦ୍ର ଚାରିଧାମ ମଧ୍ୟରେ ଶ୍ରେଷ୍ଠ ଏହି ଅନନ୍ୟ ପୁରୁଷୋତ୍ତମ କ୍ଷେତ୍ରରେ ଅଠରନଳା ନିର୍ମାଣ ସହିତ ଅନେକ ଜନହିତକର କାର୍ଯ୍ୟ କରିଥିଲେ । ସେ ସହରରେ ଦେଶର ବିଭିନ୍ନ ରାଜ୍ୟରୁ ତୀର୍ଥାଟନ ନିମନ୍ତେ ଆସୁଥିବା ତୀର୍ଥଯାତ୍ରୀ ମାନଙ୍କ ଦୈନିକ ସ୍ନାନ ଓ ଶୌଚ ଆଦି ନିମନ୍ତେ ଏକ ବୃହତ ପୁଷ୍କରିଣୀ ଖନନ କରିଥିଲେ ଯାହାର ନାମ ତାଙ୍କ ନାମ ଅନୁସାରେ ନରେନ୍ଦ୍ର ପୁଷ୍କରିଣୀ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତି ଙ୍କ ଜନ୍ମସ୍ଥାନ ଶ୍ରୀ ଗୁଣ୍ଡିଚା ମନ୍ଦିର ର ଚତୁଃଦିଗରେ ପ୍ରାଚୀର ନିର୍ମାଣ କରି ବେଢା ବୁଲାଇବା ସହିତ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସର ରେ ପାନୀୟ ଜଳ ପାଇଁ କୂପ ମଧ୍ୟ ଖୋଳାଇଥିଲେ। ପୁରୀ ର ପ୍ରସିଦ୍ଧ ଅଠରନଳା ପୋଲ ବୀର ରାଜ କୁମାରଙ୍କ ସ୍ମୁତି ର ସ୍ମାରକୀ ହୋଇ ରହିଆସିଛି ସେହି ଦିନ ଠାରୁ।
ଜୟ ଜଗନ୍ନାଥ ସ୍ଵାମୀ
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮