ବୁଗୁଡ଼ାର ମା ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଉଦଯାପିତ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ସହରରେ ଗତ ଏପ୍ରିଲ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ମା’ ନାରାୟଣୀ, ମା’ ବ୍ୟାଘ୍ରଦେବୀ, ମା’ ବୁଢୀ ଠାକୁରାଣୀ, ମା’ ମାଳିଝୋଳା ଓ ମା’ ମାମୁଁଦେଇ ଶ୍ରୀ ଶ୍ରୀ ପଞ୍ଚ ଠାକୁରାଣୀ ଯାତ୍ରା ମଇ ୧୨ ତାରିଖ ଦିନ ତାହା ଉଦଯାପିତ ହୋଇଯାଇଛି। ପୁରୋହିତ ନାରାୟଣ ଦାଶ, ବିଭୂତି ଭୂଷଣ ତ୍ରିପାଠୀ, ମନୋଜ କୁମାର ଦାଶ, ଦିଲ୍ଲୀପ ଦେବତା ଓ ଶିଶିର ମିଶ୍ର ପୂଜାବିଦ୍ଧି ପରିଚାଳନା କରୁଥିବା ବେଳେ ମୁଖ୍ୟ କର୍ତ୍ତା ଭାବେ ରବୀନ୍ଦ୍ର ନାଥ ପଣ୍ଡା ଓ ରତ୍ନମଞ୍ଜରୀ ପଣ୍ଡା କାର୍ଯ୍ୟ ତୁଲାଉଛନ୍ତି ଏବଂ ଭଗବାନ ନାୟକ ଶାଲା ପରିଚାଳନା କରୁଛନ୍ତି। ଶ୍ରଦ୍ଧାଳୁଙ୍କ ଠାରୁ ମେଲାଣି ନେଇ ପଞ୍ଚ ଠାକୁରାଣୀ ସ୍ବ ସ୍ବ ମନ୍ଦିରକୁ ପ୍ରତ୍ଯାବର୍ତ୍ତନ କରିଥିବା ବେଳେ ଅନ୍ତିମ ନଗର ଭ୍ରମଣ ସହ ରାବଣ ପୋଡି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ସ୍ଥାନୀୟ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ପ୍ରକାରେ ମା’ଙ୍କ ପୂଜାର୍ଚ୍ଚନା ଓ ହୋମ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସନ୍ଧ୍ୟାରେ ୧୦୮ ଆଳତି , ପୂର୍ଣ୍ଣାହୁତି , ସଙ୍କୁଡି ଭୋଗ ଓ ପୁଷ୍ପାଞ୍ଜଳି ପରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ସହ ମାନସିକଧାରୀଙ୍କ ଗହଣରେ ଆରତୀ ବେହେରା , ଏସ୍.ମନୋଜା ରାଣୀ ପାତ୍ର , କୁନି ସାହୁ , କେ.ଶୁଭଶ୍ରୀ ପାତ୍ର, ସୁଷମା ସାହୁ ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ବଳଦେବ ମନ୍ଦିର , ଥାନା ରୋଡ , ରାବଣ ପୋଡି ସ୍ଥଳ , ହାଇସ୍କୁଲ ଛକ , ମଦନ ମୋହନ ଛକ , ପୋଲସରା ରୋଡ , ନୂଆଁ ସାହି ଆଦି ପରିକ୍ରମା କରି ନେଳିଆ ବନ୍ଧରେ ପହଞ୍ଚିଥିଲେ । ସେଠାରେ ଯଥା ବିଧି ପ୍ରକାରେ ପୂଜାର୍ଚ୍ଚନା ପରେ ପଞ୍ଚ ଠାକୁରାଣୀ ନିଜ ନିଜର ପୀଠକୁ ପ୍ରତ୍ଯାବର୍ତ୍ତନ କରିଥିଲେ । ଦୀର୍ଘ ୧୭ ଦିନ ଧରି ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ଚାଲିଥିବା ପଞ୍ଚ ଠାକୁରାଣୀ ଯାତ୍ରାର ପରିସମାପ୍ତି ଘଟିଥିବା ବେଳେ ସହରବାସୀ , ପରିଚାଳନା କମିଟି , ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା।