ବୁଦ୍ଧଖୋଲ ଇକୋ ପାର୍କର ଅଗ୍ରଗତି ସମୀକ୍ଷା କଲେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ
ବୁଗୁଡା – ବୁଗୁଡା ନିକଟସ୍ଥ ପ୍ରସିଦ୍ଧି ଶୈବପୀଠ ତଥା ପର୍ୟ୍ୟଟନ କ୍ଷେତ୍ର ବୁଦ୍ଧଖୋଲର ପାଦଦେଶ କିରିଆମ୍ବା ସଂରକ୍ଷିତ ଜଙ୍ଗଲରେ ନିର୍ମାଣାଧୀନ ଇକୋ ପାର୍କର କାର୍ୟ୍ୟର ଅଗ୍ରଗତି ସମ୍ପର୍କରେ ଶନିବାର ଦିନ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା ସମୀକ୍ଷା କରିଥିବା ଜଣାପଡିଛି। ବୁଦ୍ଧଖୋଲ ମହୋତ୍ସବର ଦ୍ଵିତୀୟ ଦିନ ଜାନୁଆରୀ ୧୧ ତାରିଖରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହି ଇକୋ ପାର୍କ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ବୁଗୁଡା ବନବିଭାଗ ପକ୍ଷରୁ ଜଙ୍ଗଲ ସଫା ଓ ପ୍ରାଚୀର ନିର୍ମାଣ ଆରମ୍ଭ ହୋଇଥିଲା । ଇକୋ ପାର୍କ ଅଗ୍ରଗତି ସମୀକ୍ଷା ବୈଠକ ପ୍ରସ୍ଥାବିତ ସ୍ଥାନରେ ଅନୁଷ୍ଟିତ ହୋଇଥିଲା। ଏହି ବୈଠକରେ ଡିଏଫଓ ଶ୍ରୀ ବେହୁରାଙ୍କ ସମେତ ଡିଜାଇନର ଶୁଭଲକ୍ଷ୍ମୀ ଦେବୀ, ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ପ୍ରମୁଖ ବନବିଭାଗ କର୍ମଚାରୀ ବୃନ୍ଦ ଯୋଗଦେଇ ଆଲୋଚନା କରିଥିଲେ। ଡିଏଫଓ ଶ୍ରୀ ବେହୁରାଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେ ଯେ ଇକୋ ପାର୍କର ଡିଜାଇନ ପ୍ରସ୍ତୁତ ହୋଇଥିବା ବେଳେ ପ୍ରଥମ ପର୍ୟ୍ୟାୟରେ ପାର୍କ ନିର୍ମାଣ ପାଇଁ ୨ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଅଛି । ଏହି କାର୍ୟ୍ୟ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ସେ ପ୍ରକାଶ କରିଥିଲେ ।