ବୃତି ପୋଷେ କୁଟୁମ୍ବ : ସୁତା ଖିଅରେ ଝୁଲୁଛି ବୁଣାକାରଙ୍କ ଭାଗ୍ୟ
ହିଞ୍ଜିଳିକାଟୁ, ( ଶେଷଦେବ ସାହୁ) :-ବହୁ ଘାତ ପ୍ରତିଘାତ ମଧ୍ୟରେ ପୂର୍ବପୁରୁଷ ଅମଳରୁ ଆମ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଆସିଥିବା ବୁଣାକାର ଜାତିର ସାମଗ୍ରୀକ ଅବଦାନକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ପ୍ରତିବର୍ଷ ଅଗଷ୍ଟ ମାସ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ଘୋଷଣା କରିଛନ୍ତି । ବାସ୍ତବ କ୍ଷେତ୍ରରେ ଏହା କେବଳ କାଗଜ କଲମ ମଧ୍ୟରେ ସିମୀତ ରହିଯାଉଥିବା ଦେଖିବାକୁ ମିଳିଛି । ତେବେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିବା ଯୋଗୁଁ ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବହୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ବୁଣାକାର କାରିଗରଙ୍କ ଭାଗ୍ୟ ସୂତା ଖିଅରେ ଝୁଲୁଥିବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି । କୌଳିକ ବୃତିକୁ ବଞ୍ଚାଇ ରଖି ସ୍ଥାନୀୟ ପୌରାଞ୍ଚଳ ସମେତ ବ୍ଳକର ବହୁ ଗ୍ରାମାଞ୍ଚଳର ଯେଉଁ କେତେକ ହସ୍ତତନ୍ତ କାରିଗର ଦିନରାତି କଠିନ ପରିଶ୍ରମ କରି ସୂତାଲୁଗା ଉତ୍ପାଦନରେ କାର୍ଯ୍ୟ କରୁଛନ୍ତି ସେମାନେ ନାନା ସମସ୍ୟାରେ ଜର୍ଜରିତ ହୋଇ କାଳାତିପାତ କରୁଥିବା ଦେଖିବାକୁ ମିଳିଛି । ହସ୍ତତନ୍ତ କାରିଗରଙ୍କ ହାତର ସ୍ୱର୍ଶରେ ବିଭିନ୍ନ କିସମର ସମ୍ବଲପୁରୀ ଲୁଗା ପ୍ରସ୍ତୁତ ହୋଇ ହିଞ୍ଜିଳିକାଟୁ ଅଞ୍ଚଳର ଶୋଭା ବର୍ଦ୍ଧନ କରୁଛି । ଯାହାର ଆଦର ସାରା ରାଜ୍ୟରେ ରହିଛି । ତେବେ ହସ୍ତତନ୍ତ କାରିଗରଙ୍କୁ କମ୍ ପାରିଶ୍ରମିକ ମିଳୁଥିବାରୁ ଏମାନଙ୍କ ଅବସ୍ଥା ଦିନକୁ ଦିନ ଦୁର୍ବିସହ ହେବାକୁ ଲାଗିଲାଣି । ଫଳରେ ଶହ ଶହ ବୁଣାକାର ପରିବାର ଏବେ ନିଜ କୌଳିକ ବୃତିରୁ ଦୂରେଇ ଯାଉଛନ୍ତି । ପ୍ରୋତ୍ସାହନର ଅଭାବ ଓ ଆର୍ଥିକ ସଙ୍କଟ ଯୋଗୁଁ ହସ୍ତତନ୍ତ ବୁଣାକାର ମାନେ ଅନ୍ୟ ରୋଜଗାର ପନ୍ଥା ଅପଣାଇବାକୁ ବାଧ୍ୟ ହେଉଛନ୍ତି । ପୂର୍ବପୁରୁଷ ଅମଳରୁ ଚାଲି ଆସିଥିବା ଏହି ପରମ୍ପରା ଏବେ ନାନା କାରଣରୁ ବନ୍ଦ ହେବାକୁ ବସିଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ସାରୁ, ମକରଝୋଳ, ସମରଝୋଳ, ଦୁର୍ବନ୍ଧ, କଞ୍ଚୁରୁ, ପୋଡ଼ିଙ୍ଗି, କଣ୍ଟେଇକୋଳି, ଶ୍ରଦ୍ଧାପୁର, ବେଲଗାଁ, ଗଣ୍ଡଳା ସମେତ କେତେକ ଗ୍ରାମଞ୍ଚଳରେ ଏହି ହସ୍ତତନ୍ତ ବୁଣାକାର ମାନେ ରହୁଛନ୍ତି । କିଛି ବର୍ଷ ପୂର୍ବେ ବିଭିନ୍ନ ଗ୍ରାମାଞ୍ଚଳରେ ହସ୍ତତନ୍ତ ଲୁଗା ଉତ୍ପାଦନ ପାଇଁ ବହୁ ତନ୍ତ ରହିଥିଲା । ମାତ୍ର ଦିନକୁ ଦିନ ଏହା ହ୍ରାସ ପାଇବାକୁ ବସିଲାଣି । ହିଞ୍ଜିଳିକାଟୁ ପୌରାଞ୍ଚଳରେ ୫ ଟି ହସ୍ତତନ୍ତ ଥିଲା ବେଳେ ଦୁର୍ବନ୍ଧ ଗ୍ରାମରେ ୫ ଟି, ଶ୍ରଦ୍ଧାପୁର ଗ୍ରାମରେ ୧୦ ଟି, କଞ୍ଚୁରୁ ଗ୍ରାମରେ ୮ ଟି, କଣ୍ଟେଇକୋଳି ଗ୍ରାମରେ ୧୨ ଟି, ପୋଡ଼ିଙ୍ଗି ଗ୍ରାମରେ ୫ ଟି, ମକରଝୋଳ ଓ ନୁଆଁ ମକରଝୋଳ ଗ୍ରାମରେ ୨୦ ଟି ହସ୍ତତନ୍ତ ରହିଛି । ହସ୍ତତନ୍ତ ପରିବାର ବର୍ଗଙ୍କ ୩ ଜଣ ସଦସ୍ୟ କଠିନ ପରିଶ୍ରମ କରି ଲାଗିଲେ ପ୍ରାୟ ଦିନକୁ ଗୋଟିଏ କିମ୍ବା ଦୁଇ ଦିନରେ ସର୍ବାଧିକ ୩ ଟି ଲୁଗା ଉତ୍ପାଦନ କରାଯାଇଥାଏ । ତେବେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିବାରୁ ହସ୍ତତନ୍ତ କାରିଗର ମାନେ ଲୁଗା ଉତ୍ପାଦନ ପାଇଁ ଆଗଭଳି ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ହସ୍ତତନ୍ତ ପରିବାର ମାନେ କମ୍ ପାରିଶ୍ରମିକ ପାଉଥିବା ଯୋଗୁଁ ଏହାକୁ ବୃତି ରୂପେ ନେଇ ପରିବାର ପ୍ରତିପୋଷଣ କରିବା ସହଜ ସାଧ୍ୟ ହେଉନାହିଁ । କଠିନ ପରିଶ୍ରମରେ ଯାହା କିଛି ଲାଭ ହେଉଛି ସେଥିରେ କେବଳ ହସ୍ତତନ୍ତ କରିଗରଙ୍କ ତେଲ ଲୁଣର ସଂସାର ଚାଲୁଛି । ପୂର୍ବପୁରୁଷ ଅମଳରୁ ବୁଣାକାର ମାନେ ସୁତାକୁ ବିଭିନ୍ନ ଛନ୍ଦରେ ଛନ୍ଦିତ କରି ବୁଣୁଥିବା ବିଭିନ୍ନ ବସ୍ତ୍ର କେବଳ ମଣିଷର ଲଜ୍ଜା ନିବାରଣ କରେ ନାହିଁ ବରଂ ବ୍ୟକ୍ତି ଓ ଜାତି ଆଧାରରେ ଦେଇଥାଏ ସ୍ୱତନ୍ତ୍ର ମାନ୍ୟତା । ଐତିହ ସମ୍ପନ୍ନ ବୟନ କଳାକୁ ଯୁଗ ଯୁଗ ଧରି ବଞ୍ଚାଇ ଆସିଥିବା ବୁଣାକାର ଆଜି ଦାରିଦ୍ର୍ୟର କଷାଘାତରେ ଜର୍ଜରିତ । ରାଜ୍ୟର ନିର୍ମାଣ ଶ୍ରମିକଙ୍କ ପାଇଁ ଅନେକ ଯୋଜନା ହେଲେ ବିଶ୍ୱ ଦରବାରରେ ଓଡ଼ିଆ ଜାତିକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ଏହି ବୁଣାକାରଙ୍କୁ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ଭଳି । ମେସିନ ତନ୍ତରେ ଉତ୍ପାଦିତ ବସ୍ତ୍ର ଅପେକ୍ଷା ସ୍ୱାଭାବିକ ଭାବେ ହାତବୁଣା ଲୁଗାର ଦର ଅଧିକ ରହୁଥିବାରୁ ଏହାର ବିକ୍ରିବଟା କମିବାରେ ଲାଗିଛି । ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଧ୍ୟାନ ଦେଇ ବୁଣାକାରଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।