ବୃଦ୍ଧି ପାଉଛି ରୌଦ୍ରତାପ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ, ସୂର୍ଯ୍ୟ ମନ୍ଦିର ଶୁନ୍ଶାନ୍
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): ରୌଦ୍ର ତାପ ଦିନକୁ ବୃଦ୍ଧି ପାଉଥିବାବେଳେ ଏହାର ପ୍ରଭାବ ସିଧା ସଳଖ ପର୍ଯ୍ୟଟନ ଶିଳ୍ପ ଉପରେ ପଡ଼ିଛି । ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କକୁ ଦୈନିକ ହଜାର ହଜାର ପର୍ଯ୍ୟଟକ ପରିଦର୍ଶନ କରିବାକୁ ଆସୁଥିବାବେଳେ ପ୍ରବଳ ରୌଦ୍ର ତାପ ଯୋଗୁଁ ମଙ୍ଗଳବାର କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ କୋଣାର୍କ ବସ୍ ଷ୍ଟାଣ୍ଡ, ଚନ୍ଦ୍ରଭାଗା ସମୁଦ୍ର କୂଳ ଆଦି ସ୍ଥାନ ଶୂନ୍ଶାନ୍ ଥିବା ଦେଖିବାକୁ ମିଳିଛି । ଅପର ପକ୍ଷରେ ସାଧାରଣ ନିର୍ବାଚନ ଲାଗି ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଥିବାବେଳେ କୋଣାର୍କକୁ ପର୍ଯ୍ୟଟକ ଆସୁନଥିବା ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି । ନିର୍ବାଚନୀ କାର୍ଯ୍ୟରେ ପ୍ରବଳ ରୌଦ୍ରତାପ ଯୋଗୁଁ କୋଣାର୍କ ଅଞ୍ଚଳରେ କୋଣାର୍କକୁ ପର୍ଯ୍ୟଟକ ଆସୁନଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ମଧ୍ୟ କୋଣାର୍କକୁ ଜନସାଧାରଣ ଆସୁନଥିବା ଦେଖିବାକୁ ମିଳିଛି । ରୌଦ୍ରତାପକୁ ମୁକାବିଲା କରିବା ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହାର ସଠିକ୍ ପରିଚାଳନା ହେଉନଥିବା ଯୋଗୁଁ ପର୍ଯ୍ୟଟକମାନଙ୍କୁ ପାନୀୟ ଜଳ ମିଳିପାରି ନାହିଁ । ସ୍ଥାନୀୟ ପ୍ରଶାସନ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ରହୁଥିବାବେଳେ ସରକାରୀ ସ୍ତରରେ ଜଳଛତ୍ର ନଖୋଲିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।