ବୃନ୍ଦାବନ ବିଦ୍ୟାପିଠ ପକ୍ଷରୁ ଶକ୍ତି ସଂରକ୍ଷଣ ଦିବସ ପାଳିତ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ / ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ସରକାରୀ ବୃନ୍ଦାବନ ବିଦ୍ୟାପିଠ ପକ୍ଷରୁ ଶନିବାର ଶକ୍ତି ସଂରକ୍ଷଣ ଦିବସ ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କ ସହ ଜୁନିୟର ରେଡ଼କ୍ରସ, ସ୍କାଉଟ ଓ ସବୁଜ ବାହିନୀର ସଦସ୍ୟ ମାନେ ହତରେ ଲିଫ୍‌ଲେଟ ଓ ବ୍ୟାନର ଧରି ଶକ୍ତି ସଂରକ୍ଷଣ ସ୍ଳୋଗାନ ଦେଇ ନଗର ପରିକ୍ରମା କରିବା ସହ ଜନ ସଚେତନତା ସୃଷ୍ଟି କରିଥିଲେ । ପରେ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ମିଳିତ ସହଯୋଗ କ୍ରମେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ସଡ଼କ ସୁରକ୍ଷା ସଚେତନତା କରାଯାଇଥିଲା । ହେଲମେଟ ପିନ୍ଧିଥିବା ବାଇକ ଚାଳକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯିବା ସହ ହେଲମେଟ ପିନ୍ଧିନଥିବା ବାଇକ ଚାଳକ ଓ ସିଲ୍ଟବେଲ୍ଟ ବାନ୍ଧିନଥିବା ଗାଡ଼ି ଚାଳକ ମାନଙ୍କୁ ସଚେତନ କରାଯାଇଥିଲା । ପରବର୍ତି ସମୟରେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରୟମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ସନାତନ ପଣ୍ଡା, ସମ୍ମାନିତ ଅତିଥି ଭାବେ ପୋଲସରା ବିଦ୍ୟୁତ ବିଭାଗୀୟ ଏସଡ଼ିଓ ସୁନିଲ କୁମାର ସ୍ୱାଇଁ, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ଏବିଇଓ ବିଶ୍ୱନାଥ ମହାରଣା ପ୍ରମୁଖ ଯୋଗଦେଇ ଶକ୍ତି ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିବା ସହ ଶକ୍ତି ସଂରକ୍ଷଣ ଭବିଷ୍ୟତ ପିଢି ସକାଶେ ପ୍ରେରଣାଦାୟୀ ବୋଲି ଅତିଥି ବୃନ୍ଦ ମତପ୍ରକାଶ କରିଥିଲେ । ଏହି ଅବସରରେ ଶକ୍ତି ସଂରକ୍ଷଣ ସମନ୍ଧୀୟ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ୧ମ ସ୍ଥାନ ଅଧିକାର କରିଥିବା ଶୁଭସ୍ମିତା ପାଢିଙ୍କୁ ୧ ହଜାର ଟଙ୍କା, ୨ୟ ସ୍ଥାନ ଅଧିକାର କରିଥିବା ତପସ୍ୱିନି ପାଢିଙ୍କୁ ୮ଶହ ଓ ୩ୟ ସ୍ଥାନ ଅଧିକାର କରିଥିବା ସ୍ୱୃତିପ୍ରଭା ମହାନ୍ତିଙ୍କୁ ୬ଶହ ପୁରସ୍କାର ସ୍ୱରୁପ ଟଙ୍କା ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ