ବେଆଇନି ବାଲିଘାଟରେ ୧୪୪ଧାରା ଜାରିକୁ ବେଖାତିର
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଧିନସ୍ଥ ବୈତରଣୀ ନଦୀର ହାବଳେଶ୍ୱର ବେଆଇନ ବାଲି ଘାଟରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ହେଉଥିବା ନେଇ ଅଭିଯୋଗ ହେବାପରେ ଗତ ଗତ ୨୫ତାରିଖ ଦିନ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇ ବାଲି ପରିବହନକୁ ରୋକିବା ଲାଗି ଟ୍ରେଞ୍ଚ ଖୋଳା ଥିଲା । ଏନେଇ ଡାକବାଜି ଯନ୍ତ୍ର ଓ ଡେଙ୍ଗୁରା ଦିଆଯାଇ ଆଖପାଖ ଗାଁର ଲୋକମାନଙ୍କୁ ସୁଚନା ମଧ୍ୟ ଦିଆଯାଇଥିଲା । କିନ୍ତୁ ବାଲି ମାଫିଆ ମାନେ ୧୪୪ ଧାରାକୁ ବେଖାତିର କରି ଖେଳା ଯାଇଥିବା ଟ୍ରେଞ୍ଚକୁ ପୋତି ଦେବାସହ ନାଲିପତାକାକୁ ଉଠାଇ ଫୋପାଡି ଦେଇଛନ୍ତି । ଏପରିକି ପୋତାଯାଇଥିବା ସିମେଣ୍ଟ ଖୁଣ୍ଟି ଗୁଡିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ଏହାଦ୍ୱାରା ବାଲି ମାଫିଆ ମାନେ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଆଲୋଚନା ହେଉଛି । ଏଠାରେ ସୁଚନାଯୋଗ୍ୟ ଯେ ଗତ ଦୁଇଦିନ ତଳେ ହାବଳେଶ୍ୱର ବାଲିଘାଟର ଖାତାନଂ-୧୬୫, ପ୍ଲଟ ନଂ- ୧୨୨୫/୧୨୪୦ର ୧୩ଏକର ପରିମିତ ବାଲି ଖାଦାନରୁ ବେ ଆଇନ ବାଲି ଉତ୍ତୋଳନ ରୋକିବାପାଇଁ ୧୪୪ଧାରା ଜାରି କରାଯାଇଥିଲା । ଡିଡିଏମ ସୁପ୍ରଭା ନାଏକ, ପଦ୍ମନାଭ ହୋତା, ହାଟଡିହି ତହସିଲଦା. ଆନନ୍ଦପୁର ତହସିଲଦାର , ଅତିରିକ୍ତ ତହସିଲଦାର ପ୍ରମୁଖ ଏହି ବେ ଆଇନ ବାଲି ଘାଟ ଉପରେ ୧୪୪ଧାରା ଜାରି କରିବା ସହିତ ବାଲିଘାଟ ସୀମାରେ ନାଲିପତାକା ମାରିଥିଲେ । ଯେପରି ଆଉ ବାଲି ପରିବହନ କରା ନଯାଇ ପାରିବ ସେନେଇ ସେଠାରେ ପ୍ରଶାସନ ପକ୍ଷରୁ ଟ୍ରେଞ୍ଚ ଖୋଳାଯାଇଥିଲା । କିନ୍ତୁ ଗତକାଲି ରାତିରେ ଏହାକୁ ପୋତି ଦିଆଯାଇଥିବା ଜଣାଯାଇଛି ।