ବେଆଇନ୍ ଔଷଧ କାରବାର ଅଭିଯୋଗରେ ମହିଳା ଗିରଫ
ଯୋଡା (ସମୀର କୁମାର ଦାସ) : ସହରର ୪ନଂ ଓାର୍ଡ ଝୁମ୍ପୁଡି ହଟିଂ ରେ ଜଣେ ମହିଳାଙ୍କୁ ବେଆଇନ୍ କପସିରଫ ଔଷଧ ବିକ୍ରୟ କରୁଥିବା ଅଭିଯୋରେ ପୋଲିସ ଗିରଫ କରିଛି । ପୋଲିସର ସୂଚନାନୁଯାୟୀ, ବୁଧବାର ପ୍ରାୟ ସକାଳ ୬.୩୦ ମିନିଟ୍ ସମୟରେ ଝୁମ୍ପୁଡି ହଟିଂରେ ବେଆଇନ୍ କପସିରପ ଔଷଧ କାରବାର ହେଉଥିବା ସୂ୍ତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ଚଢାଉ ଫଳରେ ଉକ୍ତ ହଟିଂର ଏମ.ଡି ଇସପାକ ଓରଫ ଛୋଟୁଙ୍କ ପତ୍ନୀ ସେହେଜାଦିଙ୍କ ଠାରୁ ୯ ବୋତଲ ବେଆଇନ୍ କପସିରପ ଓ ନଗଦ ୬ ହଜାର ୬୪୦ ଙ୍କା ଜବତ କରିବା ସହିତ ସେହଜାଦି ଖାତୁନ୍ ଙ୍କୁ ଗିରଫ କରିଥିଲା । ଏନେଇ ଯୋଡା ଥାନା କେଶ ନଂ ୯୮/୨୦୨୦ , ଦଫା ୨୭୪, ୨୭୫ ରୁଜୁ କରି ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି । ପ୍ରକାଶ ଯୋଗ୍ୟକି, ସହରର ବିଭିନ୍ନ ଓାର୍ଡରେ ଥିବା ଗ୍ରୋସରୀ ଦୋକାନ, ପାନ ଦୋକାନ ଏପରିକି ଗୁପ୍ତ ଭାବେ ଘରେ ରଖି ଏହି ବେଆଇନ୍ କପସିରପ ଔଷଧ କୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି । ଏହି କପସିରପ ଔଷଧକୁ ଅଧିକ ସେବନ କଲେ ବ୍ୟକ୍ତି ନିଶାଶକ୍ତ ହେଉଥିବାରୁ ଯୁବକମାନେ ଏହାକୁ ଅଧିକ ବ୍ୟବହାର କରୁଛନ୍ତି । ଫଳରେ ଏହାର ଅଧିକ ଚାହିଦା ରହିଛି । ଡାକ୍ତରଙ୍କ ବିନା ଚିଠାରେ ଏହି ଔଷଧ ମିଳୁନଥିବାରୁ ଏହା କଳାବଜାରୀ ହେଉଛି । ଏହାଦ୍ୱାରା ସହରରେ ନିଶାଶକ୍ତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ଅସାମାଜିକ କାର୍ଯ୍ୟକଳାପ ବୃ୍ଦ୍ଧି ପାଇବାରେ ଲାଗିଛି । ଏଣୁ ପୋଲିସ ଏଦିଗରେ ଦୃଷ୍ଟି ଦେଈ ଏହି ଚୋରା କାରବାରକୁ ରୋକି ପାରିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ସାଧାରଣରେ ମତପ୍ରକାଶ ପାଇଛି ।


