ବେଆଇନ କୁକୁଡା ଫାର୍ମ ନେଇ ଅଭିଯୋଗ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ତହସିଲ ଅନ୍ତର୍ଗତ ଅରଖକୁଦ ଗ୍ରାମର ଜୈନିକ ବ୍ୟକ୍ତି ଗୋଚର ଦଣ୍ଡା ଖୋଳି ଦୀର୍ଘ ବର୍ଷ ହେବ ଇଟା ପକାଇ ଆସୁଥିବା ଗ୍ରାମର ଆଶିଷ କୁମାର ନାୟକ, ଜଟ ଘୋରଣ, ରମେଶ ଦାସ, ଉପେନ୍ଦ୍ର ମହାନ୍ତି, ଶରତ ଚନ୍ଦ୍ର ଲେଙ୍କା, ପ୍ରଶାନ୍ତ ଲେଙ୍କା, ଶୁକଦେବ ଲେଙ୍କା, ସୁରେଶ ମହାନ୍ତି, ଲକ୍ଷ୍ମୀଧର ଦାସଙ୍କ ସମେତ ୨୦ଜଣରୁ ଉର୍ଦ୍ଧ ସ୍ୱାକ୍ଷରିତ ଏକ ଅଭିଯୋଗ ପତ୍ର ବୁଧବାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଏହାର ନକଲ ତହସିଲଦାର ଜେ.କଳ୍ପନାଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଅଭିଯୋଗ ମୁତାବକ ଉକ୍ତ ବ୍ୟକ୍ତି ଜଣଙ୍କ ଗୋଚର ସ୍ଥାନକୁ ଦୀର୍ଘ ୧୦ ବର୍ଷ ହେବ ମନଇଚ୍ଛା ବ୍ୟବହାର କରି ଆସୁଅଛି । ଏପରିକି ବର୍ଷକୁ ୪ ରୁ ୫ ଭାଟି ଇଟା ପୋଡିବା ପାଇଁ ଏହି ସ୍ଥାନରୁ ମାଟି ଉଠାଇ ଇଟା ତିଆରି କରି ବିକ୍ରି କରୁଛି । ସେହିପରି ବର୍ତମାନ ଏହି ଗୋଚର ଜାଗାରେ ଏକ କୁକୁଡା ଫାର୍ମ ନିର୍ମାଣ କରୁଛି । ଏ ବିଷୟରେ ଆମ୍ଭେ ବାରମ୍ବାର ଆମ ରାଜସ୍ୱ ନିରୀକ୍ଷକଙ୍କୁ ମୌଖିକ ଆକାରରେ ଅଭିଯୋଗ କରିଥିଲେ ମଧ୍ୟ ସେ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ । ଗୋଚର ଜମିରେ ଆମେମାନେ ଗୋଚାରଣ ରୂପେ ବ୍ୟବହାର କରି ଆସିଥାଉ । ଏହି ବ୍ୟକ୍ତି ମନଇଚ୍ଛା ଖୋଳିବା ଦ୍ୱାରା ଗୋଚର ଜମି ନଷ୍ଟ ହେବା ସହିତ କୁକୁଡା ଫାର୍ମ କରି ଆବଦ୍ଧ କରାଗଲେ ଗୃହପାଳିତ ପଶୁ ଚରିବାରେ ଅସୁବିଧା ସୃଷ୍ଟି ହେବ । ଏହାର ତଦନ୍ତ କରାଯାଇ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗରେ ଦର୍ଶାଯାଇଛି ।ଏବିଷୟରେ ତହସିଲଦାର ଜେ.କଳ୍ପନାଙ୍କୁ ପଚାରିବାରୁ ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।


