ବେଆଇନ ନିର୍ମାଣ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଗୁଆଳସିଂ ଗ୍ରାମପଂଚାୟତର ଅଧିବାସୀମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ପଂଚାୟତ ଅନ୍ତର୍ଗତ ଠାକୁହାଟସ୍ଥିତ ସୁଦର୍ଶନ ଉଚ୍ଚ ବିଦ୍ୟାଳୟ ଜମିରେ କେତେକ ଅନୈତିକ ତଥା ବେଆଇନ ନିର୍ମାଣ କାର୍ଯ୍ୟ କରାଯାଉଛି । ସେଗୁଡିକ ମଧ୍ୟରେ ବିଦ୍ୟାଳୟ ପରିସରରେ ସାର୍ବଜନିନ ପାର୍କ ନିର୍ମାଣ,ପଂଚାୟତ ଭବନ ନିର୍ମାଣ,ବିଦ୍ୟାଳୟ ପରିସରରୁ ମାଟି ଉଠାଇ ଖାଲ କରାଯିବା ଏବଂ ବିଦ୍ୟାଳୟ ଜମିରେ ମାଟି ପକାଯାଇ ହୋଟେଲ ନିର୍ମାଣ କରାଯିବା ଲାଗି ପ୍ରୟାସ କରାଯିବା ପ୍ରଭୃତି । ଏସବୁ ବିଦ୍ୟାଳୟ ନିମନ୍ତେ ଆବଶ୍ୟକ ନଥିବା ବେଳେ ଏସବୁ କରାଯିବା ଦ୍ୱାରା ବିଦ୍ୟାଳୟ ପରିସର ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି । ମୁଷ୍ଟିମେୟ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବଳି ପକାଯାଉଥିବା ଅଭିଯୋଗ ହୋଇଛି । ଏ ଅଂଚଳର ୪/୫ଟି ପଂଚାୟତର ପିଲାମାନେ ଶିକ୍ଷାଲାଭ କରିବା ପାଇଁ ଏହି ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି । ନୂତନ ଶିକ୍ଷା ନୀତି ଅନୁଯାଇ ହାଇସ୍କୁଲରେ +୨ ଶିକ୍ଷା ମିଶିବାକୁ ଯାଉଥିବା ବେଳେ ଏଠାରେ ଶ୍ରେଣୀକକ୍ଷର ବହୁ ଆବଶ୍ୟକତା ରହିଛି । ୨୦୧୬ମସିହାରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିସାରିଥିବା ଏହି ବିଦ୍ୟାଳୟଟି ଏକ ଅନଗ୍ରସର ଅଚଂଳରେ ଅବସ୍ଥିତ ଏବଂ ବହୁ ଅଭାବ,ଅସୁବିଧା ଓ ସମସ୍ୟା ଦେଇ ଗତିକରୁଛି । ବିଦ୍ୟାଳୟରେ ଯଥେଷ୍ଟ ଶ୍ରେଣୀ ଗୃହର ଅଭାବ ଥିବା ବେଳେ ସଭାଗୃହ,ପାଠାଗାର,ଛାତ୍ରଛାତ୍ରୀଙ୍କ ପାଇଁ ସାଧାରଣ କୋଠରୀ ସମେତ ବିଜ୍ଞାନାଗାର ପ୍ରଭୃତିର ଆବଶ୍ୟକତା ଅଛି । ଏହା ଏକ ପୁରାତନ ବିଦ୍ୟାଳୟ ହୋଇଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଏଠାରେ ନାହାଁନ୍ତି । କ୍ରୀଡା ଶିକ୍ଷକ ବହୁଦିନ ହେବ ଡେପୁଟେସନରେ ଅନ୍ୟତ୍ର ପଠାଇଦିଆଯାଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ହିନ୍ଦି ଶିକ୍ଷକଙ୍କ ଅବସରଗ୍ରହଣ ପରେ ଏହି ପଦରେ ତୁରନ୍ତ ଶିକ୍ଷକ ନିଯୁକ୍ତି ପ୍ରଦାନ ନିମନ୍ତେ ଦାବି କରାଯାଇଛି । ବିଦ୍ୟାଳୟର ରାତ୍ର ଜଗୁଆଳି ଅବସର ନେବା ପରେ ସେହି ପଦରେ ମଧ୍ୟ କାହାକୁ ନିଯୁକ୍ତି ପ୍ରଦାନ କରାଯାଇନାହିଁ । ଏହା ଏକ ନୋଡାଲ ଉଚ୍ଚ ବିଦ୍ୟାଳୟ ହୋଇଥିବା ବେଳେ ଏହାର ଚର୍ତୁପାଶ୍ୱର୍ରେ ପାଚେରୀ ନଥିବାରୁ ଦୈନିକ ସନ୍ଧ୍ୟାରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଥିବାରୁ ବିଦ୍ୟାଳୟ ପାଚେରୀ ନିର୍ମାଣ ନିତ୍ୟାନ୍ତ ଆବଶ୍ୟକ । ତେଣୁ ଏସବୁ ସମସ୍ୟାର ନିରାକରଣ ପାଇଁ ପଂଚାୟତବାସୀଙ୍କ ପକ୍ଷରୁ କାଙ୍ଗାଳି ଚରଣ ବାରିକ, ରମେଶ ପାତ୍ର, ସରୋଜକାନ୍ତ ବିହାରୀ, ଚନ୍ଦ୍ରକାନ୍ତି ରଣା, ଗୋବିନ୍ଦ ଚୁଳି ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିକରିଛନ୍ତି ।