ବେଗୁନିଆପଡ଼ା ହେଲା ନୂତନ ଥାନା, ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କୋଦଳା, (ଗୁଲସନ କୁମାର କର):ପୂର୍ବରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଥିବା ବେଳେ ଆଜି ଏହା ଥାନାରେ ପରିଣତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ବେଗୁନିଆପଡ଼ା ଥାନାକୁ ଲୋକାର୍ପଣ କରିଛନ୍ତି ।ଅପରାହ୍ନ ୪. ୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଉଦଘାଟନ କରିଥିବା ବେଳେ କାର୍ଯ୍ଯକ୍ରମରେ ଗଞ୍ଜାମ ଏସ୍ ପି ଜଗମୋହନ ମୀନା, ପୁରୁଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାମଲ, କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ୩୬ଟି ନୂଆ ପୁଲିସ ଥାନା ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ବେଗୁନିଆପଡ଼ା ଏଥିରେ ସ୍ଥାନ ପାଇଛି । ପୂର୍ବରୁ ବେଗୁନିଆପଡ଼ା ବ୍ଲକର ୧୩ ଗୋଟି ପଞ୍ଚାୟତବାସୀ ବେଗୁନିଆପଡ଼ା ଫାଣ୍ଡି ଉପରେ ନିର୍ଭର କରୁଥିବା ବେଳେ କୋଦଳା ଥାନା ରହିଥିଲା। ଏବେ ବେଗୁନିଆପଡ଼ା ବ୍ଳକର ୧୩ ଗୋଟି ପଞ୍ଚାୟତ ଅର୍ଥାତ୍ ବେଗୁନିଆପଡ଼ା ଠାରୁ ଆରମ୍ଭ କରି କୁମ୍ଭାର ଗାଁ ପର୍ଯ୍ୟନ୍ତ ବେଗୁନିଆପଡ଼ା ଥାନାରେ ଅନ୍ତର୍ଭୁକ୍ତ କରାଯାଇଛି। ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବେଗୁନିଆପଡ଼ା ଅଞ୍ଚଳବାସୀ ବେଗୁନିଆପଡ଼ାକୁ ଥାନା କରାଯିବାକୁ ଦାବି କରୁଥିଲେ। ଏନେଇ ପୂର୍ବତନ ବିଧାୟିକା ଖଲ୍ଲିକୋଟ ରାଣୀ ସାହେବା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ତେବେ ଦୀର୍ଘ ଦିନର ଦାବି ଏବେ ପୂରଣ ହୋଇଥିବାରୁ ଅଞ୍ଚଳବାସୀ ଏବେ ଖୁସି ପ୍ରକାଶ କରିଛନ୍ତି। ଏହି ନୂଆ ଥାନା ପ୍ରତିଷ୍ଠା ହେବା ଦ୍ବାରା ଜନସାଧାରଣଙ୍କୁ ଉତ୍ତମ ପୁଲିସ ସେବା ଯୋଗାଇ ଦେବା ଦିଗରେ ଓଡ଼ିଶା ପୁଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ତେବେ ବର୍ତ୍ତମାନ ବେଗୁନିଆପଡ଼ା ଥାନା ପୁରୁଣା ଫାଣ୍ଡି କୋଠାରେ ଚାଲିବାକୁ ଥିବା ବେଳେ ଆଗାମୀ ଦିନରେ ଏହାର ଭିତ୍ତିଭୂମି ସୁଦୃଢ କରାଯିବ ବୋଲି ଜଣାପଡିଛି।


