ବେଗୁନିଆପଡା ବ୍ଲକ ସମିତି ବୈଠକର ଏପାଖ ସେପାଖ…ନୀରବତା ରୁ ଆରମ୍ଭ, କକ୍ଷତ୍ୟାଗରେ ଶେଷ

କୋଦଳା,(ଗୁଲସନ କୁମାର କର): ଦୀର୍ଘ ଦିନର ବ୍ଯବଧାନ ପରେ ବେଗୁନିଆପଡ଼ା ବ୍ଳକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସାନମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ସୋମବାର ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା ସଭାପତି ଭାବେ ସଭାକୁ ପରିଚାଳନା କରିଥିବା ବେଳେ ଅନ୍ୟ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି,ମନୋଜ କୁମାର ପାଣ୍ଡି, ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକର ପ୍ରାରମ୍ଭରେ କୁମ୍ଭାର ଗାଁ ସରପଞ୍ଚ ପ୍ରଶାନ୍ତ କୁମାର ତାରିଣୀ ଓ ଚନ୍ଦନପୁର ପଞ୍ଚାୟତ ର ସମିତି ସଭ୍ୟ ସୁବଳ ସାହୁ ଙ୍କ ଅକାଳ ବିୟୋଗ ପାଇଁ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ବାସ୍ଥ୍ୟ,ଶିକ୍ଷା, କୃଷି,ସମନ୍ବିତ ଶିଶୁ ବିକାଶ ଯୋଜନା, ଜଳ ଓ ପରିମଳ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ଉପସ୍ଥିତି ରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରି ସମୀକ୍ଷା କରାଯାଇଥିଲା। ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଙ୍କ ଅଭିଭାଷଣ ମଧ୍ୟରେ ପୂର୍ବତନ ବିଧାୟିକା ରାଣୀ ସାହେବା ଙ୍କ ବେଗୁନିଆପଡା ବ୍ଲକ ପାଇଁ ଅକ୍ଲାନ୍ତ ପରିଶ୍ରମ କୁ ପ୍ରଶଂସା କରି ବେଗୁନିଆପଡା ପଂଚାୟତ ସମିତି ଗୃହ କୁ ମର୍ଦରାଜ ଭବନ ନାମରେ ନାମିତ କରାଯାଉ । ଏହି ପ୍ରସ୍ତାବ କୁ ୪୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ଓ ୪୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ପାଣ୍ଡୀ ସମର୍ଥନ ଜଣାଇଥିଲେ । ଅନ୍ୟ ଏକ ପ୍ରସଙ୍ଗରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ଧାନ ମଣ୍ଡି ର ଧାନ ବିକ୍ରି ତଥା ଏହାର ପରିଚାଳନା ନେଇ ପ୍ରଶ୍ନ କରିଥିଲେ, ଏହାର ଉତ୍ତର ରେ ଯୋଗାଣ ଅଧିକାରିଣୀ ଶ୍ରୀମତୀ ରୀନାରାଣୀ କହିଥିଲେ ଯେ କୃଷକ ମାନଙ୍କ ସମସ୍ୟା ନେଇ ପରିଚାଳନା କମିଟି ନିଷ୍ପତି ନେବେ । ଯେଉଁ କୃଷକ ଜଳ ସେଚନ ପାଇଁ ଆଗ୍ରହୀ ସେମାନେ କୃଷି ବିଭାଗ ରେ ପଞ୍ଜିକରଣ କରାଇ ଆବଶ୍ୟକ ସୁବିଧା ନେବା ପାଇଁ କୃଷି ଅଧିକାରିଣୀ ଜଣାଇଥିଲେ । ସେହିପରି ଯେଉଁ ପଞ୍ଚାୟତ ରେ ଜଳ ଯୋଗାଣ ବ୍ୟବସ୍ଥା ସପୂର୍ଣ ହୋଇସାରିଛି ଓ ଲୋକଙ୍କୁ ଜଳ ଯୋଗାଣ ହୋଇପାରୁନାହିଁ ସେହି ପରିପ୍ରେକ୍ଷୀରେ ବ୍ଲକ ସ୍ତରରେ ଷ୍ଟାଣ୍ଡିଙ୍ଗ କମିଟି କରାଯାଇ ପଦକ୍ଷେପ ନେବାକୁ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ମତ ରଖିଥିଲେ । ଶିକ୍ଷକ ମାନଙ୍କ ସେର୍ଟିଫିକେଟ ଯାଞ୍ଚ ପ୍ରସଙ୍ଗରେ, ଉପରିସ୍ଥ ଅଧିକାରୀଙ୍କୁ ସମସ୍ତ ଦସ୍ତାବିଜ ଦିଆଯାଇଥିବା କହିଛନ୍ତି ବ୍ଲକ ବିଇଓ କମଳାକାନ୍ତ ସାହୁ । ସାଙ୍କୁଡ଼ା ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ପରିଚାଳନା ନେଇ ଜିଲ୍ଲା ପରିଷଦ ସଭ୍ୟ ଙ୍କ ପ୍ରଶ୍ନର ଉତ୍ତର ରେ ତିନି ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦିଆଯିବାକୁ ମତ ରଖିଥିଲେ ବ୍ଲକ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ।ତେବେ ବିଭିନ୍ନ ପ୍ରସଙ୍ଗର ସଠିକ ଉତ୍ତର ନ ପାଇ ବ୍ଲକର ବିଭିନ୍ନ ପଂଚାୟତ ର ୧୪ ଜଣ ପଞ୍ଚାୟତ ଜନପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରି କକ୍ଷତ୍ଯାଗ କରିଥିଲେ । ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁଙ୍କ ଅଭିଯୋଗ କ୍ରମେ,ଜନପ୍ରତିନିଧି ମାନଙ୍କ ଅଗୋଚରରେ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ବର୍ଷ 6ଟି ସମିତି ବୈଠକ ବାଧ୍ୟତା ମୂଳକ ଥିବା ବେଳେ, ଚାରି ବର୍ଷରେ ଚାରୋଟି ବୈଠକ କରିବାର ଅଭିପ୍ରାୟ ନେଇ ପ୍ରଶ୍ନ କରିଥିଲେ ବୁରୁଝରୀ ସମିତିସଭ୍ୟ ବିନାୟକ ନାୟକ । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହି ପ୍ରଶ୍ନର ସଠିକ୍ ଭାବେ ଉତ୍ତର ଦେଇ ନଥିବା ଅଭିଯୋଗ କରିଥିଲେ ବୁରୁଝୁରୀ ସମିତି ସଭ୍ୟ । ତେବେ ବ୍ଯକ୍ତିଗତ ସ୍ବାର୍ଥ ପାଇଁ କିଛି ପଞ୍ଚାୟତ ପ୍ରତିନିଧି କକ୍ଷତ୍ଯାଗ କରିଥାଇପାରନ୍ତି ବୋଲି କହିଛନ୍ତି ବିଧାୟିକା ଲତିକା ପ୍ରଧାନ । ଏହି ସମିତି ବୈଠକ ରେ ପ୍ରାୟ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତି ରେ ବ୍ଲକ ପରିସରରେ ନୂତନ ସମିତି ଗୃହ ଓ ଗୋଷ୍ଠୀ ଶୌଚାଳୟ କୁ ମାନ୍ୟବର ଆସ୍କା ସାଂସଦ ପ୍ରମିଳା ବିଶୋଇ ଉଦଘାଟନ କରିଥିଲେ ।ବେଗୁନିଆପଡ଼ା ବ୍ଳକରେ ଦୀର୍ଘଦିନ ଧରି ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିବା ବେଳେ ଏହି ଗୋଷ୍ଠୀ କନ୍ଦଳ ଆଗକୁ ଉଗ୍ର ରୂପ ନେବ,ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କିଛି ବୁଦ୍ଧିଜୀବୀ ମତ ବ୍ୟକ୍ତ କରିବା ସହିତ ବେଳ ଥାଉ ଥାଉ ଏହାର ସମାଧାନ ସକାଶେ ଉଚିତ ପଦକ୍ଷେପ ନେବାକୁ କିଛି ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ