ବେଗୁନିଆରେ ମାତୃଦିବସ ପାଳିତ
ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍):ବେଗୁନିଆ ଆଦର୍ଶ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ନୂଆସାହି ଶ୍ରୀ ଜଗନ୍ନାଥ ମନ୍ଦିର ସଂଲଗ୍ନ ଆମ୍ରକାନନ ପରିସରରେ ରବିବାର ଅପରାହ୍ନରେ ବିଶ୍ୱ ମାତୃଦିବସ ପାଳିତ ହୋଇଯାଇଛି । ଏ ନେଇ ଆୟୋଜିତ କବିତାପାଠ ସମ୍ବର୍ଦ୍ଧନା ଉତ୍ସବରେ ଅନୁଷ୍ଠାନ ଉପସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର ପୌରୋହିତ୍ୟ କରିଥିଲେ । କବି ପ୍ରସନ୍ନ କୁମାର ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସିକା ସଂଘମିତ୍ରା ରଥ ମୁଖ୍ୟ ଅତିଥି, ଆରିକମା ହୋମିଓପାଥି ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ବକ୍ତା, ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ଓ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଇନ୍ଦୁମତୀ ପରିଡା ସମ୍ମାନିତ ଅତିଥିଭାବେ ଯୋଗଦେଇ ଶିଶୁର ସର୍ବୋତ୍ତମ ବିକାଶରେ ମା’ଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ପ୍ରାଧ୍ୟାପକ ଶ୍ରୀ ପାଣିଗ୍ରାହୀ ସ୍ୱ ରଚିତ ମାତୃଦିବସ ତାତ୍ପର୍ଯ୍ୟ ଆଧାରିତ ସଙ୍ଗୀତ ଗାନ କରିଥିଲେ । ସଭାରେ ଉପସ୍ଥିତ ଶିଳ୍ପୀ କଳ୍ପତରୁ ପଣ୍ଡା,କବୟତ୍ରୀ ମମତାରାଣୀ ମିଶ୍ର,ପ୍ରତିମା ପ୍ରଧାନ,ସନ୍ଧ୍ୟାରାଣୀ ସାମନ୍ତରାୟ,ସୁଦୀକ୍ଷା ମହାପାତ୍ର, ରଶ୍ମି ରଞ୍ଜିତା ମହାପାତ୍ର ଶୁଭଙ୍କରୀ ମହାପାତ୍ର,କବି ଦିବାକର ସାହୁ ଓ ସମାଜସେବୀ ପ୍ରସନ୍ନ ବାରିକ ପ୍ରମୁଖ ସୁସ୍ଥ ସମାଜ ଗଠନରେ ମାଙ୍କ ଭୁମିକାକୁ ନେଇ କବିତା ପାଠ ସହ ଅନୁଚିନ୍ତା ପ୍ରକଟ କରିଥିଲେ । ଏହି ଅବସରରେ ବେଗୁନିଆ ବ୍ଲକର ମନୋନୀତ ହୋଇ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ଅଧ୍ୟୟନ କରୁଥିବା ଛାତ୍ର ଓମପ୍ରକାଶ ପାଳ ଓ ତାଙ୍କ ମା’ ପାର୍ବତୀ ପାଳ, ବୋଲଗଡ ବ୍ଲକର ମନୋନୀତ ହୋଇ ପଢୁଥିବା ଛାତ୍ର ପ୍ରିୟ ରଞ୍ଜନ ପ୍ରଧାନ ଓ ମା’ ରାଜଲକ୍ଷ୍ମୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଗାୟକ ରମେଶ ଚନ୍ଦ୍ର ମହାପାତ୍ର ଉଦ୍ଯାପନୀ ସଂଗୀତ ଗାନ କରିଥିବା ବେଳେ କବି ଜଗଦୀଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।