ବେଙ୍ଗାଲୁରୁରେ ଗ୍ୟାସ ଫାଟିଯିବା ଘଟଣା ପୁଣି ଜଣଙ୍କ ମୃତ୍ୟୁ , ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବେଙ୍ଗାଲୁରରେ ଗତ ମଙ୍ଗଳବାର ରାତିରେ ଏକ ଘରେ ଗ୍ୟାସ ଫାଟିଯିବା ଘଟଣାରେ ୪ ଜଣ ଯୁବତୀ ଓ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ତେବେ ସେମାନଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ଅଉ ଜଣେ ଗୁରୁତର ଜୀବନ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି। ରବିବାର ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବତୀ ଜଣଙ୍କ ହେଲେ ରାୟଗଡ଼ା ଜିଲ୍ଲା ବିଷମକଟକ ଅଞ୍ଚଳର ରାଣୀ ଟିକିରି(୨୩)। ସୂଚନା ଅନୁସାରେ ଦାରିଙ୍ଗବାଡ଼ି ବ୍ଲକ୍ ଗାହାକିଆ ଗ୍ରାମର ୩ ଜଣ ଯୁବତୀ, କୋଟଗଡ଼ ବ୍ଲକ ଶ୍ରାମ୍ବି ଗ୍ରାମର ଜଣେ ଯୁବକ ଓ ରାୟଗଡ଼ା ଜିଲ୍ଲା ବିଷମ କଟକ ଅଞ୍ଚଳର ଜଣେ ଯୁବତୀ ବେଙ୍ଗାଲୁରୁଠାରେ ଥିବା କମ୍ପାନୀରେ କାମ କରୁଥିବା ବେଳେ ସମସ୍ତେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ। ମଙ୍ଗଳବାର ରାତିରେ ରୋଷେଇ କରିବା ସମୟରେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା।ସେମାନଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ଗାହାକିଆ ଗ୍ରାମର କାଡିଙ୍ଗା ପ୍ରଧାନଙ୍କ ଝିଅ ବରଣୀ ପ୍ରଧାନଙ୍କ(୨୦) ମୃତ୍ୟୁ ହୋଇଥିଲା। ସେହିପରି ଶୁକ୍ରବାର ଦିନ ଦାରିଙ୍ଗବାଡ଼ି ଅଞ୍ଚଳର ସାନପୁର ପଞ୍ଚାୟତ ଗାହାକିଆ ଗ୍ରାମର ପିତବାସ ପ୍ରଧାନଙ୍କ ଝିଅ ମମତା ପ୍ରଧାନ(୨୨) ଓ କାଟଗଡ଼ ବ୍ଲକ୍‍ ଶ୍ରାମ୍ବି ଗ୍ରାମର ଡପକା ପ୍ରଧାନଙ୍କ ପୁଅ ଉଦାମ ପ୍ରଧାନ(୩୦)ର ମୃତ୍ୟୁ ହୋଇଥିବା ବେଳେ ରବିବାର ଆଉ ଜଣଙ୍କ ମୃତ୍ୟୁ ହୋଇଛି। ତେଣୁ ସେମାନଙ୍କର ମୃତ ଦେହ ଗ୍ରାମକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ବେଙ୍ଗାଲୁରୁରେ ଥିବା ମାଇଗ୍ରେସନ ଆସୋସିଏସନ ତରଫରୁ ମଧ୍ୟ ମୃତ ଦେହକୁ ପଠାଇବା ପାଇଁ ବ୍ୟବସ୍ଥା ହେଉଥିବା ଜଣାପଡ଼ିଛି। ଅପରପକ୍ଷରେ ଅନ୍ୟ ଜଣେ ଗୁରୁତର ଗାହାକିଆ ଗ୍ରାମର ଯୁବତୀ ଅଞ୍ଜଳି ପ୍ରଧାନ ବର୍ତ୍ତମାନ ମୃତ୍ୟୁ ସହିତ ଲଢ଼େଇ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ