ବେତନ ଅସଙ୍ଗତି ଦୂର ଦାବିରେ ଅମଲା ମିଳିତ ମଞ୍ଚର ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା):ବାରମ୍ବାର ଦାବି ସତ୍ତ୍ୱେ ବେତନ ଅସଙ୍ଗତି ଦୂର ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିର ପ୍ରତିବାଦରେ ସମଗ୍ର ଓଡ଼ିଶାର ଅମଲାମାନେ ଗୁରୁବାରଠାରୁ ତୀବ୍ର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୪ ଗୋଟି ଅମଲା ସଂଘକୁ ନେଇ ଗଠିତ ମିଳିତ ମଞ୍ଚର ଆହ୍ୱାନକ୍ରମେ ଅମଲାମାନେ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପିନ୍ଧି ପ୍ରତିବାଦ ଜଣାଇବା ପରେ ଆଜି ସମୂହ ଛୁଟିରେ ରହି ଧାରଣାରେ ବସିଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ପ୍ରତ୍ୟେକ ବ୍ଳକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଲକ୍ଷ୍ୟ କରାଯାଇଥିଲା । ବିଭିନ୍ନ ସରକାରୀ ବିଭାଗରେ ନିୟୋଜିତ ଶତାଧିକ ଅମଲା ଏହି ଧାରଣାରେ ସାମିଲ ହେବା ସହ ପ୍ଲାକାର୍ଡ ଓ ପୋଷ୍ଟର ମାଧ୍ୟମରେ ସେମାନଙ୍କ ଏକମାତ୍ର ଦାବି ପୂରଣ ପାଇଁ ସରକାରଙ୍କୁ ଅନୁରୋଧ ଜାରି ରଖିଥିଛନ୍ତି । ସରକାର ସେମାନଙ୍କ ଏକମାତ୍ର ଦାବି ପୂରଣ ନ କରିବା ଯାଏଁ ସମସ୍ତ ଅମଲା ସମୂହ ଛୁଟିରେ ରହି ଆନ୍ଦୋଳନ ଜାରି ରଖିବେ ବୋଲି ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅଧକ୍ଷ ଲକ୍ଷ୍ମୀଧର ବେହେରା କହିଛନ୍ତି । ମଞ୍ଚର ଆବାହକ ପ୍ରଦୀପ କୁମାର ଦାଶ ଏଥିରେ ଉପସ୍ଥିତ ରହି ଅମଲାମାନଙ୍କ ଏକମାତ୍ର ଦାବି ପ୍ରତି ସରକାରୀ ଉଦାସୀନତାକୁ ନେଇ କ୍ଷୋଭ ପ୍ରକାଶ ସହିତ ଆନ୍ଦୋଳନର ଚରମ ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ । ସରକାରୀ ସେବା ବାଧା ପ୍ରାପ୍ତ ହେଇଥିବାରୁ ସେ ଦୁଃଖ ପ୍ରକାଶ ସହ ତୁରନ୍ତ ସରକାର ସେମାନଙ୍କ ଦାବି ମାନିନେବାକୁ ନିବେଦନ କରିଛନ୍ତି ।ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ବୋଲି ମଞ୍ଚର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ସୁକାନ୍ତ ପ୍ରଧାନ, ସ୍ୱସ୍ତିକ ଦାସ, ଧର୍ମେଶ ଶତପଥୀ, ରୂପକ କୁମାର ଦାସ, ସତ୍ୟାନନ୍ଦ ବେହେରା, ପ୍ରାର୍ଥସାରଥୀ ଅଗସ୍ତି, ରାଜେନ୍ଦ୍ର କୁମାର ମହାନ୍ତି, ସ୍ୱାଗତିକ ମଲିକ, ବିନୟ କୁମାର ସେଠୀ, ଦେବୀଦତ୍ତ ସାହୁ ପ୍ରମୁଖ ଏହି ଗଣଧାରଣାକୁ ପରିଚାଳନା କରିଥିଲେ ।
ପୁଣି ଧାରଣାରେ ବସିଲେ ପୂର୍ତ୍ତ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ନ ହେବା ଯୋଗୁଁ ଇପିଏଫ ପେନସନରୁ ବଞ୍ଚିତ ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ପୁଣି ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଅବସର ନେଇଥିବା କର୍ମଚାରୀ ଏବଂ ମୃତ କର୍ମଚାରୀଙ୍କ ବିଧବା ପତ୍ନୀ ଇପିଏଫ ପେନସନ ସଂସ୍ଥାରୁ ପେନସନ ଓ ଅବସରକଳୀନ ଗ୍ରାଚ୍ୟୁଇଟି ଦାବିକରି ପୂର୍ତ୍ତର୍ ବିଭାଗ ଡିଭିଜନ-୧ ଅଫିସ ସମ୍ମୁଖରେ ଗୁରୁବାର ଧାରଣାରେ ବସିଛନ୍ତ । ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ଖାମଖିଆଲି କାର୍ଯ୍ୟଧାରାକୁ ବିରୋଧ କରି ଅବସରପ୍ରାପ୍ତ କର୍ମଚାରୀମାନେ ଗତ ଏପ୍ରିଲ ୧୧ ତାରିଖରେ ଧାରଣା ଦେଇଥିଲେ । ମାସକ ମଧ୍ୟରେ ଇପିଏଫ ସଂକ୍ରାନ୍ତୀୟ କାଗଜପତ୍ର ଦାଖଲ ହେବା ନେଇ ସେତେବେଳେ ଅଧୀକ୍ଷଣ ଯନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଭରସା କରି ଅବସରପ୍ରାପ୍ତ କର୍ମଚାରୀମାନେ ଧାରଣାରୁ ନିବୃତ୍ତ ହୋଇଥିଲେ । ଇତିମଧ୍ୟରେ ଦୁଇମାସ ବିତିବାକୁ ବସିଥିବା ବେଳେ ଅଧୀକ୍ଷଣ ଯନ୍ତ୍ରୀ କୌଣସି ପଦକ୍ଷେପ ନ ନେବାରୁ ପୁଣିଥରେ ଧାରଣାରେ ବସିବାକୁ ସେମାନେ ବାଧ୍ୟ ହୋଇଛନ୍ତି ବୋଲି ଅବସରପ୍ରାପ୍ତ କର୍ମଚାରୀମାନେ କହିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଡିଭିଜନ କର୍ତୃପକ୍ଷଙ୍କୁ ବହୁ ଆବେଦନ ଓ ନିବେଦନ ପରେ ମଧ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆଇନଗତ ପ୍ରାପ୍ୟ ପ୍ରଦାନରେ ଚରମ ଅବହେଳା କରାଯାଉଥିବାରୁ ସେମାନେ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ଇତିମଧ୍ୟରେ କେତେକ କର୍ମଚାରୀ ଆର୍ଥିକ ଅନାଟନ ଓ ଚିକିତ୍ସା ନପାଇ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ଏପରିକି ମୃତ କର୍ମଚାରୀଙ୍କ ବିଧବା ପତ୍ନୀମାନେ ମୃତ ସ୍ୱାମୀଙ୍କ ଫଟୋଚିତ୍ର ରଖି ଆଜି ଏହି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଆଇନଗତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଚାଲୁ ରହିବ ବୋଲି ଶ୍ରୀ ପାଣିଗ୍ରାହୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏହି ବରିଷ୍ଠ କର୍ମଚାରୀମାନଙ୍କ ଆଇନଗତ ଦାବି ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ ଜଣାଇ ବାମପନ୍ଥୀ ନେତା ଶିଶିର ହୁଇ, ଭାଗବତ ପ୍ରତିହାରୀ, ପ୍ରେମରଞ୍ଜନ ପାତ୍ର, ଚାଷୀ ମୂଲିଆ ସଂଘର ଅରୁଣ ଜେନା, ଜିଲା ବରିଷ୍ଠ ନାଗରିକ ମଂଚର ଅନ୍ତର୍ଯ୍ୟାମୀ ପ୍ରଧାନ, ଏଆଇଟିୟୁସିର ଜିଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା, ଶ୍ରମିକ ନେତା ବିକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅଧୀକ୍ଷଣ ଯନ୍ତ୍ରୀ ବାଲେଶ୍ୱରରେ ନଥିବାରୁ ତାଙ୍କ ସହ ସାକ୍ଷାତ କିମ୍ବା ପ୍ରତିକ୍ରିୟା ମିଳି ପାରିନାହିଁ ବୋଲି ଧାରଣାରେ ବସିଥିବା କର୍ମଚାରୀମାନେ କହିଛନ୍ତି ।