ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଧର୍ମଜାଗରଣ ସମନ୍ୱୟ ବିଭାଗ ପକ୍ଷରୁ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ବଳିଦାନ ଦିବସ ଅବସରରେ ଧର୍ମରକ୍ଷା ସେନା ଦ୍ୱାରା କେନ୍ଦ୍ରାପଡା ସହରର ତିନିମୁହାଣୀ ଶ୍ରୀରାମ ମନ୍ଦିର ଭବନ ପରିସରରେ ଧର୍ମରକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଧର୍ମଜାଗରଣ ସମନ୍ୱୟ ବିଭାଗର ଜିଲ୍ଲା ସଂଯୋଜକ ବିବେକାନନ୍ଦ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଜାଗରଣ ସମନ୍ୱୟ କ୍ଷେତ୍ର ପ୍ରମୁଖ ବିନୟ କୁମାର ଭୂୟାଁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ରାଷ୍ଟ୍ରବାଦୀ, ସ୍ତମ୍ବକାର, ଧର୍ମଜାଗରଣ ସମନ୍ୱୟ ପଶ୍ଚିମ ପ୍ରାନ୍ତ ସଂରକ୍ଷକ ଡଃ. ଗଙ୍ଗାଧର ନନ୍ଦ, ସମ୍ମାନିତ ଅତିଥି ଭାବେ ବ୍ରହ୍ମଚାରୀ ଯଶୋବନ୍ତ ଦାସ, ମହନ୍ତ ହୃଷିକେଶ ଦାସ ବାବାଜୀ ମହାରାଜ ଏବଂ ଧର୍ମରକ୍ଷା ସେନାର ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଉପସ୍ଥିତ କର୍ମକର୍ତ୍ତା ଓ ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ମାର୍ଗଦର୍ଶନ ପ୍ରଦାନ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ଗ୍ରାମ, ସାହି ଓ ୱାର୍ଡ ମାନଙ୍କରେ ଭାଗବତ ଅଧ୍ୟୟନ ଓ ସତସଙ୍ଗ ମାଧ୍ୟମରେ ଲୋକଙ୍କ ମନରେ ଦେଶପ୍ରେମର ଜାଗରଣ ସୃଷ୍ଟି କରାଇବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ଏକ ବିଧର୍ମୀ ମୁକ୍ତ ସୁସ୍ଥ ସମାଜ ଗଠନ କରିବା ପାଇଁ ପ୍ରୟାସ ଜାରି ରଖିବା ସହ ସ୍ୱର୍ଗତ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ୱପକୁ୍ନ ପୁରଣ ପାଇଁ ସମସ୍ତେ ମିଳିତ ଭାବେ ଆଗେଇ ଆସିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ପ୍ରଥମେ ସ୍ୱାମୀଜୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସେନା ପ୍ରାନ୍ତ କାର୍ଯ୍ୟକର୍ତ୍ତା ଉମେଶ ଦାସ, ସେନା ଜିଲ୍ଲା ସଂଯୋଜକ ଶଶାଙ୍କ କୁମାର ଜେନା, ସହ ସଂଯୋଜକ ମାଧବ ଚନ୍ଦ୍ର ଦାସଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।