ବେଲଗୁଣ୍ଠାରେ ପଡିଲାନି ଚକଅଖ ରାସ୍ତାଘାଟ ଖାଁ ଖାଁ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଡ଼ି ଚାଳକ ମାନଙ୍କ ନଅ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଧର୍ମଘଟ ଡାକରା ଦେଇଥିବା ବେଳେ ଏହାକୁ ଶତପ୍ରତିଶତ ସମର୍ଥନ ଜଣାଇଛି ବେଲଗୁଣ୍ଠା ବ୍ଳକ୍ ଡ୍ରାଇଭର ମହାସଂଘ I ଫଳରେ ଆଜି ବ୍ଳକ୍ ରେ ତିନି ଚକିଆ ଅଟୋ ଠାରୁ ଆରମ୍ଭ କରି ବସ୍, ଟ୍ରକ୍ ସମସ୍ତ ପ୍ରକାର ଯାନବାହନ ବନ୍ଦ ରହିବା ଫଳରେ ରାସ୍ତାଘାଟ ଖାଁ ଖାଁ ହୋଇପଡିଛି I ଆଜି ସକାଳୁ ବେଲଗୁଣ୍ଠା ବ୍ଳକ୍ ଡ୍ରାଇଭର ସଂଘ ସଭାପତି ମଧୁସୂଦନ ଜେନାଙ୍କ ତତ୍ତ୍ୱାବଧାନରେ ବେଲଗୁଣ୍ଠା ବ୍ଳକ୍ ର ବେଲଗୁଣ୍ଠା, ଗୋବରା, ଗାଙ୍ଗପୁର,କଣ୍ଟେଇପଲ୍ଲୀ ,କ୍ଷତ୍ରିୟବରପୁର ଅଞ୍ଚଳରୁ ବିଭିନ୍ନ ଗାଡ଼ିର 350ରୁ ଊର୍ଦ୍ଧ୍ୱ ଡ୍ରାଇଭର ବେଲଗୁଣ୍ଠା ଏବଂ କଣ୍ଟେଇପଲ୍ଲୀ ଠାରେ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ I ସ୍କୁଲ୍ ପିଲାଙ୍କ ଗାଡ଼ି, ଦମକଳ,ଆମ୍ବୁଲାନ୍ସ୍, ପୋଲିସ୍ ଗାଡ଼ି ଏବଂ ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ପାଇଁ ଏହି ବିକ୍ଷୋଭ ସମ୍ପୂର୍ଣ୍ଣରୂପେ କଟକଣା ମୁକ୍ତ ରହିଥିଲା I କିନ୍ତୁ ଆନ୍ଦୋଳନରେ ସାମିଲ୍ ନଥିବା କିଛି ଗାଡ଼ିର ଡ଼୍ରାଇଭରଙ୍କୁ ଆନ୍ଦୋଳନରତ ଡ୍ରାଇଭର ମାନେ ଫୁଲ ମାଳ ପିନ୍ଧାଇ ଆନ୍ଦୋଳନରେ ଯୋଗ ଦେବା ପାଇଁ ଅଭିନବ ଉପାୟରେ ଅନୁରୋଧ କରିବା ସହ ସେମାନଙ୍କ ଗାଡିକୁ ନଅଟକାଇ ଛାଡିଦେଇଥିଲେ I ଆଜି ଏହି ଆନ୍ଦୋଳନକୁ ବେଲଗୁଣ୍ଠା ବ୍ଳକ୍ ଡ୍ରାଇଭର ସଂଘ ଉପସଭାପତି ସନ୍ତୋଷ କୁମାର ଡାକୁଆ, କୋଷାଧ୍ୟକ୍ଷ ବୁଲୁ ବିଷୋୟୀ,ନିର୍ଦ୍ଦେଶକ ପ୍ରସନ୍ନ କୁମାର ବିଷୋୟୀ,ସମ୍ପାଦକ ଚିନ୍ତାମଣି ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ I ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଏବଂ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ I