ବେଲଗୁଣ୍ଠା ବ୍ଳକ୍ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଗଞ୍ଜାମ ଜିଲ୍ଲାପାଳ ଡଃ ବିଜୟ ଅମୃତ କୁଲାଙ୍ଗେ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।ସକାଳ ୯.୪୦ମି ସମୟରେ ପହଞ୍ଚିବା ପରେ ୧୦ଟାରୁ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଥିଲା ।ବେଲଗୁଣ୍ଠା ବ୍ଳକ୍ ବିଭିନ୍ନ ଗ୍ରାମାଞ୍ଚଳରୁ ୩୨୭ଜଣ ବ୍ୟକ୍ତି ବିଭିନ୍ନ ଦାବି ନେଇ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।ରାସନ କାର୍ଡ ପାଇଁ ୭୫ ଜଣ,କାଳିଆ ଯୋଜନାରେ ସାମିଲ ହେବା ପାଇଁ ୫୦ଜଣ, ରାଜସ୍ୱ ପଟ୍ଟା ପାଇଁ ୪୦ଜଣ,ବିଭିନ୍ନ ପେନସନ୍ ଯୋଜନାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ୪୨ ଜଣ,ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୭ ଓ ଇନ୍ଦିରା ଆବାସ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ମୋ କୁଡିଆ ପାଇଁ ୧୧୩ ଜଣ ଆବେଦନ କରିଥିଲେ ।ଏକ କମିଟି ଦ୍ୱାରା ଯାଞ୍ଚ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ ବିଭିନ୍ନ ଯୋଜନାରେ ସାମିଲ କରାଯିବ ବୋଲି ବିଡ଼ିଓ ତଥା ତହସିଲଦାର ସରୋଜ କୁମାର ବେହେରା ପ୍ରକାଶ କରିଛନ୍ତି ।ଜିଲ୍ଲାପାଳ ଓ ଏସ୍.ପି ଙ୍କ ମିଳିତ ଅଭିଯୋଗ ଶୁଣାଣି ଥିବା ବେଳେ ଏକ ଘଣ୍ଟା ପରେ କୌଣସି ଗୁରୁତ୍ୱପୁର୍ଣ କାର୍ଯ୍ୟ ପଡିବାରୁ ଜିଲ୍ଲାପାଳ ଚାଲିଯାଇଥିଲେ ଏବଂ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ କାର୍ଯ୍ୟକ୍ରମରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ ।ଏସ୍.ପି ଅନୁପସ୍ଥିତ ଥିବା ବେଳେ ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ତାଙ୍କ ପ୍ରତିନିଧି ଭାବେ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ ।ଜିଲ୍ଲାପାଳ ଚାଲିଯିବା ପରେ ଅଭିଯୋଗ କରିବା ପାଇଁ ଆସିଥିବା କିଛି ବ୍ୟକ୍ତି ଅଭିଯୋଗ ପତ୍ର ନ ଦେଇ ଚାଲିଯାଇଥିବା ଜଣାପଡିଛି ।ଆଜିର ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ, ସମନ୍ୱିତ ଶିଶୁ ବିକାଶ, ସ୍ୱାସ୍ଥ୍ୟ ବିଭାଗ,ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟୁତ୍ ବିଭାଗ, ପୋଲିସ ବିଭାଗ, ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।ବ୍ଳକ୍ କର୍ମଚାରୀ ମାନେ ଲୋକଙ୍କୁ ସହାୟତା କରିଥିଲେ ।