ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଦଣ୍ଡଯାତ୍ରା ଆରମ୍ଭ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଢୋଲ,ମହୁରୀରେ ପ୍ରକମ୍ପିତ ହେଉଛି ଧରା I ପଣା, ଝୁଣା ମହକରେ ମହକି ଯାଉଛି ପରିବେଶ I ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଦଣ୍ଡ ଯାତ୍ରା ଆରମ୍ଭ ହୋଇ ଉତ୍ସବ ମୁଖରିତ ହୋଇଛି ସମଗ୍ର ବ୍ଳକ୍ ର ପୁରପଲ୍ଲୀ I ଆଜି ବ୍ଲକ୍ ର ଗୋବରା ଗ୍ରାମରେ ୧୪ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଛି I ଏହି ଅବସରରେ ରୀତିନୀତି ମୁତାବକ ଠାକୁରଙ୍କୁ ଆବାହନ, ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଏବଂ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା I ସନ୍ଧ୍ୟାରେ ସନ୍ଧ୍ୟା ଆଳତି, ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରୂପେ ଭାରତଲୀଳା ପରିବେଷଣ ହେବ l କାର୍ଯ୍ୟକ୍ରମରେ ପାଟ ଦଣ୍ଡୁଆ ରୂପେ ନଟବର ଗୌଡ଼, ପୂଜକ ରୂପେ ତପନ କୁମାର ଶତପଥି, ମାଳି ରୂପରେ ରବୀନ୍ଦ୍ର ରଣା ଦାୟିତ୍ୱ ନେଇଥିଲେ I ସେହିପରି କର୍ତ୍ତା ରୂପେ ପୂର୍ବତନ କର୍ତ୍ତା ପ୍ରଫୁଲ୍ଲ କୁମାର ଜେନା ଜେନା ନିଜ ଶିଷ୍ୟ ରୂପେ କାର୍ତ୍ତିକ ବାରିକଙ୍କୁ ଦାୟିତ୍ୱ ଦେଇ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ I ଅଶୀ ଜନ ଭୁକ୍ତା ଏହି ଦଣ୍ଡଯାତ୍ରାରେ ଅଂଶଗ୍ରହଣ କରିଛନ୍ତି I ସେହିପରି ବେଲଗୁଣ୍ଠା ବ୍ଳକ୍ ର ବଡ଼ ବୋର୍ସିଂ,ଜାଲଖାଇ,ପାଲକଷଣ୍ଢା, ଦହିମୁଣ୍ଡଳୀ ଆଦି ଗ୍ରାମରେ ଦୁଇ ଦିନ ପୂର୍ବରୁ ଦଣ୍ଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଆସନ୍ତା କାଲି ସିଂହମର୍ଦ୍ଦନ,କୋକଲୁଣ୍ଡା, ବେଲଗୁଣ୍ଠା,ଇନ୍ଧନପୁର ବlଣତୁମ୍ଭ ଆଦି ଗ୍ରାମରେ ଆସନ୍ତା କାଲି ଦଣ୍ଡଯାତ୍ରା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି I ଉଭୟ ବେଲଗୁଣ୍ଠା ଏବଂ ଗାଙ୍ଗପୁର ପୋଲିସ୍ ଶୃଙ୍ଖଳିତ ଦଣ୍ଡଯାତ୍ରା ପରିବେଷଣ ଉପରେ ନଜର ରଖିଛନ୍ତି I