ବେଲଗୁଣ୍ଠା ସଙ୍ଗରୋଧ ବାହାରୁ ୪ କରୋନା ପଜିଟିଭ ଚିହ୍ନଟ

ବେଲଗୁଣ୍ଠା, ( ଶିବରାମ ଚୌଧୁରୀ): ଗଞ୍ଜାମ ଜିଲ୍ଲାରେ କରୋନା ପରିସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ରାଜ୍ୟରେ ସର୍ବାଧିକ କରୋନା ଚିହ୍ନଟ ଗଞ୍ଜାମରେ ହୋଇଥିବା ବେଳେ ବର୍ତ୍ତମାନ ଏହା ଗୋଷ୍ଠୀ ସଂକ୍ରମଣର ରୁପ ନେଲାଣି । ଆଜି ବେଲଗୁଣ୍ଠା ସହରରେ ସଙ୍ଗରୋଧ ବାହାରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ଫଳରେ ସହରରେ ଭୟର ବାତାବରଣ ଖେଳିଯାଇଛି । ପୁର୍ବରୁ ବେଲଗୁଣ୍ଠାରେ ସଙ୍ଗରୋଧ ବାହାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବଙ୍କା ପଞ୍ଚାୟତରୁ ୧୦ଜଣ ଏବଂ ବେଲଗୁଣ୍ଠା ଏନ୍.ଏ.ସିର ସଙ୍ଗରୋଧ କେନ୍ଦ୍ର ରୁ ପ୍ରାୟ ୨୬ ଜଣ ଚିହ୍ନଟ ହୋଇସାରିଲେଣି ।ଏହା ସହ ଗୋବରା ସଙ୍ଗରୋଧ କେନ୍ଦ୍ର ବାହାରୁ ୬ ଜଣ,ଶାସନ ପଞ୍ଚାଧନ ରୁ ୩ ଜଣ ଓ ଖଇରପୁଟି ପଞ୍ଚାୟତ ସଙ୍ଗରୋଧ ବାହାରୁ ୩ ଜଣ ଚିହ୍ନଟ ହୋଇସାରିଲେଣି । ଗତ ଶୁକ୍ରବାର ଦିନ କୌଣସି ଲକ୍ଷଣ ନ ଥାଇ ବେଲଗୁଣ୍ଠା କୋଳି ସାହିର ଜଣେ ୨୨ବର୍ଷର ଯୁବକ, ଜଗନ୍ନାଥ ପାଟଣା ସାହିର ୩୮ ବର୍ଷର ଯୁବକ, ୬୦ବର୍ଷୀୟ ତାଙ୍କ ମାଁ ଓ ୨୮ବର୍ଷର ଜଣେ ଯୁବକ ୪ ଜଣ ମିଶି ଭଞ୍ଜନଗର ଡାକ୍ତରଖାନା ଯାଇ କରୋନା ଟେଷ୍ଟ ପାଇଁ ସ୍ୱାବ ଦେଇଥିଲେ । ଆଜି ସମସ୍ତ ୪ ଜଣଙ୍କ ରିପୋର୍ଟ କରୋନା ପଜିଟିଭ ଆସିବା ପରେ ପ୍ରଶାସନ ତରଫରୁ ସମସ୍ତ ୪ ଜଣଙ୍କୁ ଭଞ୍ଜନଗର କୋଭିଡ କେୟାର ସେଣ୍ଟରକୁ ଏକ କୋଭିଡ ଭ୍ୟାନରେ ନିଆଯାଇଥିବା ଜଣାପଡିଛି । କୋଳି ସାହିର ୨୨ବର୍ଷିଆ ଯୁବକ ଗୋଟିଏ ଡ୍ରେସ ଦୋକାନରେ କର୍ମଚାରୀ ଭାବେ କାମ କରୁଥିବା ବେଳେ ଜଗନ୍ନାଥ ପାଟଣା ସାହିର ୩୮ ବର୍ଷୀୟ ଯୁବକଙ୍କ ଲୁଗା ଦୋକାନ ଥିବା ଜଣାପଡିଛି ଏବଂ ୬୦ ବର୍ଷୀୟ ମହିଳା ଜଣକ ତାଙ୍କ ମାଁ ବୋଲି ଜଣାପଡିଛି । ଅନ୍ୟ ଜଣେ ୨୮ ବର୍ଷୀୟ ଯୁବକ ଜଣକ ଏକ ଜଳଖିଆ ଦୋକାନୀଙ୍କ ପୁଅ ବୋଲି ଜଣାପଡିଛି । ସଙ୍ଗରୋଧ ବାହାର ଲୋକଙ୍କ ପଜିଟିଭ ଚିହ୍ନଟ ହେବା ପରେ ଏହା ଗୋଷ୍ଠୀ ସଂକ୍ରମଣ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ୪ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ ପରିବାର ବର୍ଗଙ୍କୁ ସଙ୍ଗରୋଧରେ ରହିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ଏବଂ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବାରିକେଡ୍ କରାଯାଇ ଜଗନ୍ନାଥ ପାଟଣା ସାହି ଓ କୋଳିସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ ବୋଲି ପ୍ରଶାସନ ଜଣାଇଛନ୍ତି । କରୋନା ବାହାରୁ ବିଭିନ୍ନ ସ୍ଥାନରେ ଚିହ୍ନଟ ହେବା ପରେ ସାଧାରଣ ଜନତା ଜିଲ୍ଲା ପ୍ରଶାସନ କୁ ଟାର୍ଗେଟ କରିଛନ୍ତି ।ବିଭିନ୍ନ ମହଲରୁ କହିବା କଥା ହେଲା, ଲକ୍ଷାଧିକ ପ୍ରବାସୀଙ୍କୁ ଆଣି ଖାମଖିଆଲି ଭାବେ ସଙ୍ଗରୋଧ କେନ୍ଦ୍ର ରେ ରଖି ବିନା କରୋନା ପରୀକ୍ଷାରେ ଘରକୁ ଛାଡିଦେବା ଯୋଗୁଁ କରୋନା ଗୋଷ୍ଠୀ ସଂକ୍ରମଣ ର ରୁପ ନେଲାଣି । ପ୍ରଶାସନ ର ଭୁଲ ନିଷ୍ପତ୍ତି ଯୋଗୁଁ ଗଞ୍ଜାମ ଜିଲ୍ଲାର ନୀରିହ ଲୋକେ ଜୀବନ ମରଣ ସହ କାଳ କାଟୁଛନ୍ତି । ଆଗାମୀ ଦିନରେ ଜିଲ୍ଲାରେ କରୋନା କେତେ ଲୋକଙ୍କ ଜୀବନ ନେବ ତାହା ଏବେଠାରୁ ଆକଳନ କରିବା ମୁସ୍କିଲ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ