ବେ-ଆଇନ ବାଲି ଚାଲାଣ , ୧୨ ଟ୍ରାକ୍ଟର ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ବେ-ଆଇନ ବାଲି ଚାଲାଣ ଅଭିଯୋଗରେ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ନିର୍ଦ୍ଦେଶ କ୍ରମେ ୧୨ଗୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ ହୋଇଛି । ଏଥିରେ ପ୍ରଶାସନ ତରଫରୁ ୧ଲକ୍ଷ୬୮ହଜାର ୬୦୦ଟଙ୍କାର ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ,ମାଛମରା ଗ୍ରାମ ନିକଟରେ ଥିବା ମହେନ୍ଦ୍ରତନୟା ନଦୀ ତଟରୁ ଦୈନିକ ବିଭିନ୍ନ ଭାବେ ବେ-ଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଥିଲା ଜିଲ୍ଲାପାଳ ଅନୁପମ ଶାହା ଏହାକୁ ଅନୁଧ୍ୟାନ କରି ବେ-ଆଇନ ବାଲି ଚାଲାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଭାବେ ଏକ ଟିମ୍ ଗଠନ କରିଥିଲେ । ଗତକାଲି ଏହି ଟିମ୍ ଉପ-ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଗୋଷାଣି ବ୍ଲକର ମାଛମରା -ଗୁରାଣ୍ଡି ରାସ୍ତାରେ ଉପସ୍ଥିତ ରହି ଚଢାଉ କରିଥିଲେ । ଏଥିରେ ବେ-ଆଇନ ଭାବେ ମହେନ୍ଦ୍ରତନୟା ନଦୀରୁ ଚୋରା ବାଲି ଚାଲାଣ ସ୍ୱଷ୍ଟ ହେବା ଯୋଗୁଁ ୧୨ଗୋଟି ଟ୍ରାକ୍ଟରକୁ ସ୍ୱତନ୍ତ୍ର ଟିମ୍ ଜବତ କରିଥିଲେ । ଜରିମାନା ଭାବେ ୧୨ଗୋଟି ଟ୍ରାକ୍ଟରରୁ ୧ଲକ୍ଷ ୬୮ହଜାର ୬୦୦ଟଙ୍କା ଆଦାୟ ହୋଇଥିବା ଜଣାଯାଇଛି ।